Categories: ଜାତୀୟ

‘୩୭୦ ଉଚ୍ଛେଦ ଜାତୀୟ ପ୍ରସଙ୍ଗ’

ଚେନ୍ନାଇ,୧୨ା୮(ଆଇଏଏନ୍‌ଏସ୍‌) : ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଜାତୀୟ ପ୍ରସଙ୍ଗ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଏହା ରାଷ୍ଟ୍ରର ଭବିଷ୍ୟତ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଏହା ସମୟର ଆବଶ୍ୟକତା ଏବଂ ଏକ ଭଲ କଥା। ବିଲ୍‌ ଗୃହୀତ ହୋଇସାରିଥିବାରୁ ସେ ଏହା ଉପରେ କହିବାର ସ୍ବାଧୀନତା ପାଇଥିବା ଭେଙ୍କାୟା କହିଛନ୍ତି। ଉପରାଷ୍ଟ୍ରପତି ଭାବେ ତାଙ୍କର ଦୁଇବର୍ଷର କାର୍ଯ୍ୟକାଳ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଭେଙ୍କାୟା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଉକ୍ତ ପୁସ୍ତକକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ଉନ୍ମୋଚନ କରିଛନ୍ତି। ‘ଲିସନିଂ, ଲର୍ନିଂ ଆଣ୍ଡ୍‌ ଲିଡିଂ’ ନାମରେ ଏହି ପୁସ୍ତକରେ ୧୯ଟି ଦେଶକୁ ଭେଙ୍କାୟାଙ୍କ ଗସ୍ତ, ବିଭିନ୍ନ ସାଧାରଣ ଓ କୂଟନୈତିକ କାର୍ଯ୍ୟକ୍ରମ ସମେତ ରାଜ୍ୟ ସଭା ଅଧ୍ୟକ୍ଷ ଭାବେ ତାଙ୍କର ସଫଳତା ଓ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ରହିଛି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିବାରୁ ଏହା ଆତଙ୍କବାଦର ପରିସମାପ୍ତି ଘଟାଇବା ସହ ଉକ୍ତ ଅଞ୍ଚଳରେ ବିକାଶର ଦ୍ୱାର ଉନ୍ମୁକ୍ତ କରିବ ବୋଲି ଏହି ଅବସରରେ ଶାହ କହିଥିଲେ। ସେ ଗୁଜରାଟ ବିଧାୟକ ଥିବାବେଳେ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ହେବା ସପକ୍ଷରେ ଥିଲେ। ତେଣୁ ସ୍ବରାଷ୍ଟ୍ରମନ୍ତ୍ରୀ ହେବା ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାର ପ୍ରଭାବକୁ ନେଇ ସେ ଆଦୌ ସନ୍ଦିହାନ ନ ଥିଲେ ବୋଲି କହିଛନ୍ତି। ଅନୁଚ୍ଛେଦ ୩୭୦ ନା କଶ୍ମୀର ପାଇଁ ଲାଭଦାୟକ ଥିଲା ନା ଦେଶ ପାଇଁ। ଏହା କଶ୍ମୀର ବିକାଶ ପଥରେ ପ୍ରତିବନ୍ଧକ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କର ଏକ ଦୁଃସାହସିକ ପଦକ୍ଷେପ ବୋଲି ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲ୍‌ଭମ କହିଛନ୍ତି। ଏହା ଦୀର୍ଘଦିନର ପ୍ରତୀକ୍ଷା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିଥାଙ୍କର ମୁଖ୍ୟ ଦାବି ଥିଲା ବୋଲି ପନିରସେଲ୍‌ଭମ କହିଛନ୍ତି।

Share