Categories: କନ୍ଧମାଳ

୩୩ ଶିଶୁଙ୍କ ବିକୃତ ପାଦ ଅସ୍ତ୍ରୋପଚାର

ଫୁଲବାଣୀ ଅଫିସ, ୫ା୧୨- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଶିବିର ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ବୃନ୍ଦା ଡି. ଏହାକୁ ଉଦ୍‌ଘାଟନ କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. କିଶୋର ମହାପାତ୍ରଙ୍କ ନେତୃତ୍ୱରେ ୧୨ ଜଣିଆ ଡାକ୍ତରୀ ଦଳ ଆସି ୩୩ ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କରିଛନ୍ତି।
ଅସ୍ତ୍ରୋପଚାର କରାଯାଇଥିବା କନ୍ଧମାଳ ଜିଲାର ୧୨, ବଲାଙ୍ଗୀରର ୧୦, ସୁବର୍ଣ୍ଣପୁରର ୭ ଏବଂ ବୌଦ୍ଧ ଜିଲାର ୪ ଶିଶୁଙ୍କୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିିତ ଏକ ସ୍ବତନ୍ତ୍ର ୱାର୍ଡ଼ରେ ୨୧ ଦିନ ପର୍ଯ୍ୟନ୍ତ ରଖାଯିବ। ସେମାନଙ୍କୁ ପ୍ରତ୍ୟେକ ଦିନ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ। ୨୧ତମ ଦିବସରେ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର ଚିକିତ୍ସକମାନଙ୍କ ଦ୍ୱାରା ପାଦ ବ୍ୟାଣ୍ଡେଜ୍‌ ଖୋଲାଯାଇ ଏକ୍ସ-ରେ କରାଯିବ। ଏହାପରେ ପୁଣି ୩ ମାସ ପାଇଁ ବ୍ୟାଣ୍ଡେଜ୍‌ କରାଯାଇ, ସେମାନଙ୍କୁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ରଖାଯିବ। ପୁନର୍ବାସ କେନ୍ଦ୍ର ଦ୍ୱାରା ଫିଜିଓଥେରାପି ଚିକିତ୍ସା ସହିତ ସ୍ବତନ୍ତ୍ର ଭାବେ ନିର୍ମିତ ଯୋତା ପ୍ରଦାନ କରାଯିବ। ଏହା ଏକ ଜଟିଳ ଓ ବ୍ୟୟବହୁଳ ଅସ୍ତ୍ରୋପଚାର ହୋଇଥିଲେ ପ୍ରତ୍ୟେକ ଶିଶୁଙ୍କ ପିଛା ଖର୍ଚ୍ଚ ହେଉଥିବା ୩୦ ହଜାର ଟଙ୍କା ରାଜ୍ୟ ସରକାର ବହନ କରୁଥିବାରୁ ବିନାମୂଲ୍ୟରେ ଅସ୍ତ୍ରୋପଚାର ହୋଇପାରୁଛି ।
ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ଏହା ଥିଲା ଦଶମ ଅସ୍ତ୍ରୋପଚାର ଶିବିର। ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଓଡ଼ିଶାର ନୋଡ଼ାଲ୍‌ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ୨୦୦୯ରୁ ୨୦୧୭ ମଧ୍ୟରେ ୩୧୪ ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ଠିକ୍‌ କରାଯାଇଛି। ସେହିପରି ୨୦୧୪ରୁ ୨୦୧୮ ମଧ୍ୟରେ ଉକ୍ତ କେନ୍ଦ୍ର ତତ୍ତ୍ୱାବଧାନରେ ଓଡ଼ିଶାର ଅନ୍ୟ ଜିଲାମାନଙ୍କରେ ମୋଟ ୭୯୧ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି ବୋଲି ଜିଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର ଡା. ମହାପାତ୍ର, ଡା. ପବିତ୍ର କୁମାର ସାହୁ, ଡା. ସୁଧାକର ପ୍ରଧାନ, ଡା. ପ୍ରମୋଦ କୁମାର ପରିଡ଼ା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସୟଦ ସାହରୁହ ଅହମ୍ମଦ, ନିଶ୍ଚେତକ ବିଶେଷଜ୍ଞ ଗୋପାଳ କୃଷ୍ଣ ସାହୁ ଓ ଗୌରଚନ୍ଦ୍ର ବିଶ୍ୱାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।