Categories: ଜାତୀୟ

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅକ୍ଟୋବର ୧ରେ କୋର୍ଟରେ ହାଜର ହେବେ। ୩୦ ବର୍ଷ ପରେ ଏହାର ଶୁଣାଣି ବୁଧବାର ଟାଡା କୋର୍ଟରେ ହୋଇଛି। କୋର୍ଟରେ ଶୁଣାଣି ସମୟରେ କେବଳ ଜଣେ ଅଭିଯୁକ୍ତ ଅଲୀ ମହମ୍ମଦ୍‌ ମୀର୍‌ ଉପସ୍ଥିତ ଥିଲେ। ୧୯୯୦ ଜାନୁୟାରୀ ୨୫ରେ ୟାସିନ୍‌ ମାଲିକ୍‌ଙ୍କ ନେତୃତ୍ୱରେ ଜେକେଏଲ୍‌ଏଫ୍‌ ଆତଙ୍କବାଦୀ ଶ୍ରୀନଗରଠାରେ ବସ୍‌ରେ ଯିବାକୁ ଅପେକ୍ଷା କରିଥିବା ୪ ବାୟୁସେନା ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ସ୍କ୍ବାଡ୍ରନ୍‌ ଲିଡର ରବି ଖାନ୍ନାଙ୍କ ସମେତ ଅନ୍ୟ ୩ ଜଣ ଶହୀଦ୍‌ ହୋଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ। ୧୯୯୫ରେ ଏହି ମାମଲାକୁ ଜମ୍ମୁରୁ ଆଜମେର ସ୍ଥାନାନ୍ତର କରାଯାଇଥିଲା। ୧୯୯୮ରେ ଏହାକୁ ଜମ୍ମୁର ଡାଟା କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

Share