Categories: ଖେଳ

୩ୟ ଟେଷ୍ଟ :ଇନିଂସ ବିଜୟ ସହ ଇଂଲଣ୍ଡର ଅଗ୍ରଣୀ

ପୋର୍ଟ ଏଲିଜାବେଥ୍‌, ୨୦।୧ (ଏଏଫ୍‌ପି)- ସ୍ଥାନୀୟ ସେଣ୍ଟ ଜଜର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଏକ ଇନିଂସ ଓ ୫୩ ରନରେ ବିଜୟୀ ଲାଭ କରିଛି। ଏହି ବିଜୟ ସହ ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ୪ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ଲାଭ କରିଛି। ସିରିଜର ପ୍ରଥମ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ୧୦୭ ରନରେ ଜିତିଥିଲା। ଏହାପରେ ଇଂଲଣ୍ଡ ୨ୟ ମ୍ୟାଚ୍‌କୁ ୧୮୯ ରନର ବୃହତ୍‌ ବ୍ୟବଧାନରେ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ତିମ ତଥା ୪ର୍ଥ ଟେଷ୍ଟ ଜାନୁୟାରୀ ୨୪ରୁ ଜୋହାନ୍ସବର୍ଗରେ ଆରମ୍ଭ ହେବ।
ପ୍ରଥମ ଇନିଂସ ସ୍କୋର ୪୯୯ ରନ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୨୦୯ରେ ସୀମିତ ରହିଥିଲା। ୨୯୦ ରନ ପଛରେ ଥାଇ ଫଲୋଅନ୍‌ ପାଇଥିବା ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରି ରବିବାର ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬ ଉଇକେଟ୍‌ ହରାଇ ୧୦୨ ରନ କରି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଅନ୍ତିମ ଦିନରେ ସୋମବାର ମ୍ୟାଚ୍‌କୁ ବଞ୍ଚାଇବା ଲାଗି ଘରୋଇ ଦଳ ପାଇଁ କାଠିକର ପାଠ ରହିଥିଲା। ଦଳୀୟ ସ୍କୋର ୧୩୭ ରନ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୯ମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ତେବେ ଅନ୍ତିମ ତଥା ୧୦ମ ଉଇକେଟ୍‌ରେ କେଶବ ମହାରାଜ (୭୧) ଓ ଡାନେ ପିଟରସନ (୩୯*) ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରି ନ ଥିଲେ। ଉଭୟେ ୧୦ମ ଉଇକେଟରେ ୯୯ ରନର ପାର୍ଟନରସିପ କରିବା ଫଳରେ ଦକ୍ଷିଣ ଆଫ୍ରିକା ୨୩୭ ରନରେ ସୀମିତ ରହିଥିଲା। ବିଜୟୀ ଦଳ ପକ୍ଷରୁ ସାମୟିକ ଅଫ୍‌-ସ୍ପିନ ବୋଲିଂ କରିଥିବା ଜୋ ରୁଟ୍‌ ୪ ଓ ଦ୍ରୁତ ବୋଲର ମାର୍କ ଉଡ୍‌ ୩ଟି ଉଇକେଟ୍‌ ନେଇଥିଲେ। ତେବେ ରୁଟ୍‌ ଗୋଟିଏ ଓଭରରେ ୨୮ ରନ ବ୍ୟୟ କରିଥିଲେ। ରୁଟ୍‌ଙ୍କ ଏହି ଓଭରରେ ଦକ୍ଷିଣ ଆଫ୍ରିକା ଲେଗ୍‌-ସ୍ପିନର ମହାରାଜ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଆଉ ଗୋଟିଏ ବଲ୍‌ରୁ ବାଇ ଆକାରରେ ୪ ରନ ମିଳିଥିଲା। ଦକ୍ଷିଣ ଆଫ୍ରିକା ଏହାର ଶେଷ ୮ ମ୍ୟାଚ୍‌ରୁ ୭ମ ପରାଜୟବରଣ କରିଛି। ୧୩୫ ରନର ଶତକୀୟ ଇନିଂସ ଖେଳିଥିବା ଓଲି ପୋପ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ- ୪୯୯/୯ (ପୋପ୍‌ ୧୩୫*, ବେନ୍‌ ଷ୍ଟୋକ୍ସ ୧୨୦, ମହାରାଜ ୫/୧୮୦)।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୦୯/୧୦ (କ୍ୱିଣ୍ଟନ ଡି କକ୍‌ ୬୩, ଡିନ୍‌ ଏଲଗାର ୩୫, ଡୋମିନିକ ବେସ୍‌ ୫/୫୧)।
ଦକ୍ଷିଣ ଆଫ୍ରିକା ୨ୟ ଇନିଂସ (ଫଲୋଅନ୍‌)- ୨୩୭/୧୦ (ଫାଫ୍‌ ଡୁ ପ୍ଲେସିସ୍‌ ୩୬, ମହାରାଜ ୭୧, ରୁଟ୍‌ ୪/୮୭)।

Share