Categories: ଗଞ୍ଜାମ

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ଗଜପତି ଜିଲାର ରାଇଗଡ, ନୂଆଗଡ ଓ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ଆର.ଉଦୟଗିରିରେ ରବିବାର ଏକାଠି ହୋଇ ଏକ ବୈଠକ କରିଥିଲେ। ବୈଠକରେ ସେମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା। ଅସ୍ଥାୟୀ କର୍ମଚାରୀଙ୍କ ଦାବି ତଥା ସମସ୍ୟା ସମାଧାନ ନିମନ୍ତେ ପୂର୍ବରୁ ବହୁବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏହା ପ୍ରତିବାଦରେ ଆସନ୍ତା ୩ରୁ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବେ ବୋଲି ପଞ୍ଚାୟତ ଅସ୍ଥାୟୀ କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଅସ୍ଥାୟୀ କର୍ମଚାରୀ ସଂଘ ରାଇଗଡ ବ୍ଲକ ସଭାପତି ବିନୋଦ କୁମାର ପ୍ରଧାନ, ସମ୍ପାଦକ ଦୁର୍ଯ୍ୟୋଧନ ବଡକୁମର, ନୂଆଗଡ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ବେହେରଦଲେଇ, ସମ୍ପାଦକ ଗଙ୍ଗା ରଇତ, ଆର.ଉଦୟଗିରି ବ୍ଲକ ସଭାପତି ଗୌରାଙ୍ଗ ଦତ୍ତ, ସମ୍ପାଦକ ରଘୁନାଥ ପ୍ରଧାନୀ, ସହ ସମ୍ପାଦକ ଲକ୍ଷ୍ମୀ ବେହେରଦଳେଇଙ୍କ ସମେତ ୩ ବ୍ଳକର ୨୦୦ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ପଞ୍ଚାୟତ କର୍ମଚାରୀ ଯୋଗ ଦେଇଥିଲେ।