୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ: ଲୁଟେରାଙ୍କ ସୁରାକ ପାଉନି ପୋଲିସ

ପଟ୍ଟାମୁଣ୍ଡାଇ,୨୫।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବ୍ରାହ୍ମଣୀ ବନ୍ୟା ସୁରକ୍ଷା ବନ୍ଧର ବକ୍ତାରପୁର କେନାଲ ପୋଲ ନିକଟରୁ ରବିବାର ଅପରାହ୍ନ ୧ଟା ବେଳେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରାଜନଗର ମଦ ଦୋକାନ କର୍ମଚାରୀ ସନାତନ ବିଶ୍ୱାଳଙ୍କଠାରୁ ୨ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସନାତନ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସନାତନ ଏକ ବାଇକ୍‌ରେ ଟଙ୍କା ନେଇ ମଦ ଦୋକାନ ମାଲିକଙ୍କ ଘରକୁ କେନ୍ଦ୍ରାପଡ଼ା ଯାଉଥିଲେ। ମାତ୍ର ବକ୍ତାରପୁରଠାରେ ଏକ ବାଇକ୍‌ରେ ଦୁଇ ଜଣ ଲୁଟେରା ତାଙ୍କୁ ଅଟକାଇବା ସହ ଧମକାଇ ସମସ୍ତ ଟଙ୍କା ଛଡ଼ାଇ ନେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ମାତ୍ର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ପତ୍ତା ପାଇ ନ ଥିବା ଜଣାପଡ଼ିଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ବାରମ୍ବାର ଚୋରି, ରାହାଜାନି, ଲୁଟ୍‌ ଆଦି ଘଟଣା ଘଟୁଥିବା ବେଳେ ପୋଲିସ ଲୁଟେରାଙ୍କ ସୁରାକ ପାଉ ନ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସୂଚନାଥାଉ କି, ଗତ ଗୁରୁବାର ଡାମରପୁର-ବାଲିପାଟଣା ଗ୍ରାମର ଗଣେଶ୍ୱର ପରିଡ଼ା ବାଇକ ଡିକିରେ ୧ଲକ୍ଷ ୮୯ ହଜାର ଟଙ୍କା ରଖି ପଟ୍ଟାମୁଣ୍ଡାଇ ବଜାରକୁ ଆସୁଥିଲେ। ମାତ୍ର ବାଇପାସ୍‌ ଛକ ନିକଟରେ ଗାଡ଼ି ରଖି ଫଳ କିଣୁଥିବା ବେଳେ କେହି ଦୁର୍ବୃତ୍ତ ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ମହାବୀର ବଜାରଠାରେ ଥିବା ଏଟିଏମ୍‌ରୁ ବୁଧବାର ଲୁଟେରାମାନେ ବାଲିପଡ଼ାର ମନୋରଞ୍ଜନ ତ୍ରିପାଠୀଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବା ସହିତ ଲୁଟେରାମାନଙ୍କ ଭିଡ଼ିଓ କ୍ଲିପ୍‌ ଥାନାରେ ଦେଖାଇଥିଲେ ବି ପୋଲିସ ଏ ଯାଏଁ ଲୁଟେରାଙ୍କ ଧରିବାରେ ସଫଳ ହୋଇନାହିଁ।