Categories: ଜାତୀୟ

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର ଆଣବିକ ଆକ୍ରମଣ କ୍ଷମତା ରହିବ ବୋଲି ଏକ ପାର୍ଲାମେଣ୍ଟାରି କମିଟି ପକ୍ଷରୁ ରବିବାର କୁହାଯାଇଛି। ଚଳିତମାସରେ ନୌସେନା ପକ୍ଷରୁ ପାର୍ଲାମେଣ୍ଟ କମିଟି ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ୧୫ଟି ପାରମ୍ପରିକ ଓ ଦୁଇଟି ଆଣବିକ ବୁଡ଼ାଜାହାଜ ରହିଛି। ଆଇଏନ୍‌ଏସ୍‌ ଅରିହନ୍ତ ସେବାରେ ନିୟୋଜିତ ହୋଇଥିବାବେଳେ ଆଇଏନ୍‌ଏସ୍‌ ଚକ୍ରକୁ ରୁଷିଆଠାରୁ ଲିଜ୍‌ ସୂତ୍ରରେ ନିଆଯାଇଛି। ପାରମ୍ପରିକ ବୁଡ଼ାଜାହାଜଗୁଡ଼ିକ ମଧ୍ୟରୁ ଅଧିକାଂଶ ୨୫ ବର୍ଷ ପୁରୁଣା। ୧୩ଟିର ବୟସ ୧୭ରୁ ୩୨ ବର୍ଷ ମଧ୍ୟରେ ହେବ। ୧୮ଟି ପାରମ୍ପରିକ ଏବଂ ୬ଟି ଏସ୍‌ଏସ୍‌ଏନ୍‌ (ନ୍ୟୁକ୍ଲିୟର ଆଟେକ ସବ୍‌ମେରିନ୍‌) ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ଏଥିରେ କୁହାଯଇଛି। ଅନ୍ୟପକ୍ଷରେ ସିନ୍ଧୁରାଜ ବୁଡ଼ାଜାହାଜର ମିଡିୟମ୍‌ ରେଫିଟ୍‌ ଲାଇଫ୍‌ ସାର୍ଟିଫିକେଶନ (ଆର୍‌ଏମ୍‌ଏଲ୍‌ସି)କୁ ବାତିଲ କରାଯାଇଛି। ଆମେରିକା ପକ୍ଷରୁ ଜାରି କଟକଣା ଯୋଗୁ ରୁଷିଆ ପକ୍ଷ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରି ନ ଥିବାରୁ ଏପରି କରାଯାଇଥିବା ଉକ୍ତ କମିଟିକୁ ନୌସେନା ଅବଗତ କରାଇଛି।

Share