Categories: କନ୍ଧମାଳ

୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି। କିନ୍ତୁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନିଯୁକ୍ତି କରୁ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ସେବାଶ୍ରମରେ।
ଏହି ବିଦ୍ୟାଳୟରେ ୨୧୯ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ମାତ୍ର ୩ ଜଣ ଶିକ୍ଷକ ସେମାନଙ୍କୁ ପାଠ ପଢାଉଛନ୍ତି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏନେଇ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଶିକ୍ଷକଙ୍କ ଅଭାବ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଉକ୍ତ ସେବାଶ୍ରମରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହଷ୍ଟେଲରେ ରହି ୧୧୦ ଜଣ ଛାତ୍ରୀଛାତ୍ର ପଢୁଥିବାବେଳେ ୧୦୯ ଜଣ ପ୍ରତିଦିନ ଯିବା ଆସିବା କରନ୍ତି। ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୧୯ ହୋଇଥିବା ବେଳେ ଛାତ୍ରୀ ୧୩୩ ଓ ଛାତ୍ର ସଂଖ୍ୟା ୮୬। ୩ ଜଣ ଶିକ୍ଷକ ଏତେ ପିଲାଙ୍କୁ ପଢାଇବାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଏଠାର ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁ ଆଦିବାସୀ ଏବଂ ପଛୁଆବର୍ଗ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ବିଦ୍ୟାଳୟ ପରିଚାଳନା ସଭାପତି ଭରତ ଦିଗାଲ ଦାବି କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରାଙ୍କୁ ମଧ୍ୟ ସମସ୍ୟା ବିଷୟରେ ଅବଗତ କରାଯାଇଥିବା ସେ କହିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ବେହେରା ବିଦ୍ୟାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଏହି ସେବାଶ୍ରମ ୨୦୧୬ରେ ନିର୍ମିତ ହୋଇଥିଲେ ହେଁ ଅନ୍ତେବାସୀଙ୍କ ପାଇଁ ଫ୍ୟାନଟିଏ ମଧ୍ୟ ନାହିଁ। ଫଳରେ ବହୁ ଅସୁବିଧାରେ ଗରମରେ ରହୁଛନ୍ତି।