୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫:  ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ଗ୍ରାମରୁ। ହଜିଲା ପୁଅ ଅରକ୍ଷିତଙ୍କୁ ପାଇବା ପରେ ବୃଦ୍ଧ ବାପା କାନ୍ଦୁରୁ ବେହେରାଙ୍କ ଘରେ ଏବେ ଜୁଆର ଭାଙ୍ଗୁଛି ଖୁସିର ଲହରି। ଆଉ ଏଥିଲାଗି ଲକ୍‌ଡାଉନ୍‌କୁ ଶ୍ରେୟ ଦେଇଛନ୍ତି ଘର ଲୋକେ।
ଗ୍ରାମର ୯ନଂ. ୱାର୍ଡ ମୁଣ୍ଡିଆ ସାହିର କାନ୍ଦୁରୁ ଏବଂ ମା’ ସୁଲତାଙ୍କ ଦୁଇପୁଅ। ବଡ଼ପୁଅଙ୍କ ମୃତ୍ୟୁ ହୋଇଯାଇଛି। ସାନପୁଅ ଅରକ୍ଷିତ ୭ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ଘର ଛାଡ଼ି କୁଆଡ଼େ ପଳାଇଥିଲେ। ବଡ଼ପୁଅର ମୃତ୍ୟୁରେ ଦୋହଲି ଯାଇଥିବା ମା’ବାପା ସାନପୁଅ ନିଖୋଜ ହୋଇଯିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ମନର ଦୁଃଖକୁ ମନରେ ମାରି ଦୁହେଁ ଏକ ଅଭିଶପ୍ତ ଜୀବନ ଜିଇ ଚାଲିଥିଲେ। ହେଲେ ରବିବାର ସେମାନଙ୍କ ଜୀବନରେ ଯୋଡ଼ି ହୋଇଛି ନୂଆ କାହାଣୀ। ରବିବାର ସକାଳେ ଅରକ୍ଷିତ କଟକରୁ ଚାଲିଚାଲି ଆସି ଗଁାରେ ପହଞ୍ଚତ୍ଥିଲେ। ହେଲେ ବଦଳିଯାଇଥିବା ଚେହେରା ଯୋଗୁ ତାଙ୍କୁ କେହି ଚିହ୍ନି ପାରି ନ ଥିଲେ। ପରିଚୟ ଦେବାପରେ ଜଣେ ଗ୍ରାମବାସୀ ତାଙ୍କୁ ଘରେ ପହଞ୍ଚାଇ ଦେଇଥିଲେ। ୨୦ବର୍ଷ ପରେ ମା’ବାପା ଏବଂ ପୁଅଙ୍କ ମହାମିଳନ ହୋଇଥିଲା। ସମସ୍ତେ ପରସ୍ପରକୁ ଧରି ଢେର ସମୟ ଯାଏ କାନ୍ଦିଥିଲେ। ନିଜ ଭୁଲ ପାଇଁ ଅନୁତପ୍ତ ଅରକ୍ଷିତ ଭବିଷ୍ୟତରେ ମା’ବାପାଙ୍କୁ ଛାଡ଼ି କୁଆଡ଼େ ଯିବେନାହିଁ ବୋଲି କହିଛନ୍ତି।
୨୦ବର୍ଷର ଅନୁଭୂତି ବଖାଣି ଅରକ୍ଷିତ କୁହନ୍ତି, ଘରୁ ବାହାରିଯିବା ପରେ ସେ ବିଭିନ୍ନ ସ୍ଥାନରେ କାମ କରିଥିଲେ। ଶେଷରେ କଶ୍ମୀର ପଳାଇଯାଇ ସେଠାକାର ଏକ ଫଳ ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କମ୍ପାନୀ ବନ୍ଦ ହୋଇଯିବା ପରେ ତାଙ୍କର ଘରକଥା ମନେପଡ଼ିଲା। ସେ ଏକ ଟ୍ରକ୍‌ରେ କଷ୍ଟେମଷ୍ଟେ କଟକ ଯାଏ ପହଞ୍ଚତ୍ଥିଲେ। ସେଠାରୁ ଚାଲିଚାଲି ଗଁାକୁ ଆସିଥିଲେ। ଏ ନେଇ ତାଳବରକୋଟ ସରପଞ୍ଚ ହେମନ୍ତ ଜେନା କୁହନ୍ତି, ଅରକ୍ଷିତ ଫେରି ଆସିଥିବାରୁ ଖୁସି ଲାଗୁଛି। ନିୟମ ଅନୁଯାୟୀ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।