Categories: ବାଣିଜ୍ୟ

୨୦୨୦ରେ ଏକ୍‌ଜିକ୍ୟୁଟିଭ ପଦ ଛାଡିବେ ରିଶଦ ପ୍ରେମଜୀ

ବେଙ୍ଗାଲୁରୁ,୨୩-୬: ଦେଶର ଚତୁର୍ଥ ସର୍ବବୃହତ ଆଉଟ୍‌ସୋର୍ସ କମ୍ପାନୀ ଓ୍ବିପ୍ରୋର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ରିଶଦ ପ୍ରେମଜୀ ୨୦୨୦ରେ ଏକ୍‌ଜିକ୍ୟୁଟିଭ ପଦ ଛାଡ଼ିବେ ବୋଲି କମ୍ପାନୀ ପକ୍ଷରୁ ସଙ୍କେତ ଦିଆଯାଇଛି। ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ନୂଆ ନିୟମ ଅନୁଯାୟୀ, ତାଲିକାଭୁକ୍ତ କମ୍ପାନୀର ଅଧ୍ୟକ୍ଷ, ଏକ୍‌ଜିକ୍ୟୁଟିଭ ପଦରେ ରହିପାରିବେ ନାହିଁ। ଚଳିତବର୍ଷ ଜୁଲାଇ ୩୦ରେ ଅଜିମ ପ୍ରେମ୍‌ଜୀ ଓ୍ବିପ୍ରୋ ଅଧ୍ୟକ୍ଷ ପଦରୁ ଅବସର ନେବେ। ତାଙ୍କ ସ୍ଥାନରେ ରିଶଦ ତହିଁ ପରଦିନ ଏହି ପଦରେ ଅଧିଷ୍ଠିତ ହେବେ। ସୂଚନାଯୋଗ୍ୟ ଯେ, ୨୦୨୦ ଏପ୍ରିଲରୁ ତାଲିକାଭୁକ୍ତ କମ୍ପାନୀର ଅଧ୍ୟକ୍ଷ ଜଣେ ଅଣ ଏକ୍‌ଜିକ୍ୟୁଟିଭ ହଁି ହେବେ ବୋଲି ସେବି ପକ୍ଷରୁ ନୂଆ ନିୟମ ଧାର୍ଯ୍ୟ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରକାଶିତ ୨୦୧୮-୧୯ର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ଜୁଲାଇ ୩୧ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ୫ବର୍ଷ ଲାଗି ରିଶଦ ପ୍ରେମ୍‌ଜୀଙ୍କୁ କମ୍ପାନୀର ଫୁଲ୍‌ଟାଇମ୍‌ ଡାଇରେକ୍ଟର ଭାବେ ନିଯୁକ୍ତ କରାଯିବ। ଏହା ଲାଗୁ ହେବା ପରେ ୭୪ ପ୍ରତିଶତ ଭୋଟିଂ ଅଧିକାର ରହିବା ସତ୍ତ୍ୱେ ପ୍ରମୋଟର ପରିବାରର କମ୍ପାନୀ ପରିଚାଳନାରେ କୌଣସି ଭୂମିକା ରହିବ ନାହିଁ।

Share