୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର ବିଚାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥିତ ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ଏହାକୁ ବିରୋଧ କରିଛି। ଭାଜପା ଶାସିତ ୩ ହିନ୍ଦୀଭାଷୀ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ ଶ୍ରମ ଆଇନରେ ପରିବର୍ତ୍ତନର ପ୍ରତିବାଦରେ ବିଏମ୍‌ଏସ୍‌ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି। ସେହିପରି ରାଜସ୍ଥାନ, ଗୋଆ, ମହାରାଷ୍ଟ୍ର ଏବଂ ଓଡ଼ିଶା ଭଳି ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଅଧ୍ୟାଦେଶ ଆଣି ଏହି ଆଇନକୁ ବଦଳାଇ କାର୍ଯ୍ୟ ସମୟ ବୃଦ୍ଧି କରିଥିବାରୁ ଏହାର ନିନ୍ଦା କରାଯାଇଛି। ଏପରି ପଦକ୍ଷେପ ଇତିହାସରେ କେବେ ଦେଖାଯାଇ ନ ଥିଲା। ଏପରି କି ସବୁଠୁ ଅଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ମଧ୍ୟ କେବେ ଏଭଳି କରି ନ ଥିବା ବିଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରମାନଙ୍କ ଏପରି ଶ୍ରମିକ ବିରୋଧୀ ନୀତିର ପ୍ରତିବାଦରେ ମେ ୨୦ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଏହି ସଙ୍ଗଠନ ପ୍ରସ୍ତୁତି ଆରମ୍ଭ କରିଛି। ବିଏମ୍‌ଏସ୍‌ ବ୍ୟତୀତ ଟ୍ରେଡ୍‌ ୟୁନିୟନ ଓ ବାମପନ୍ଥୀମାନେ ମଧ୍ୟ ରାଜ୍ୟଗୁଡ଼ିକର ପଦକ୍ଷେପକୁ ନିନ୍ଦା କରିଛନ୍ତି। ଗତ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରମ ଆଇନରେ ସଂଶୋଧନକୁ ସମାଲୋଚନା କରି ଟୁଇଟ୍‌ କରିଥିଲେ।

Share