୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୭ ଅଟକ

କାମାକ୍ଷାନଗର, ୨୦।୭(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରୁ ତିଗିରିଆକୁ ଚାଲାଣ କରାଯାଉଥିବାବେଳେ ୨ଟି ଗୋରୁ ବୋଝେଇ ଗାଡ଼ିକୁ ଧରିଛନ୍ତି କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମବାସୀ। ଏଥିରେ ସମ୍ପୃକ୍ତ ୭ ବେପାରୀଙ୍କୁ ପୋଲିସ ଜିମା ଦିଆଯାଇଛି। ଉଦ୍ଧାର ଗୋରୁଙ୍କୁ ସ୍ଥାନୀୟ ସ୍କୁଲରେ ରଖାଯାଇଛି।
ଶୁକ୍ରବାର ଅପରାହ୍ନରେ ୨ଟି ଟାଟା ଏସିଇ ଗାଡ଼ିରେ ୨୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଅତି ଦୟନୀୟ ଭାବେ ବାନ୍ଧି ଚାଲାଣ କରାଯାଉଥିଲା। ଏହା ଦେଖିବା ପରେ ଗ୍ରାମବାସୀ ଉଭୟ ଗାଡ଼ିକୁ ଅଟକ ରଖିଥିଲେ। ଉଦ୍ଧାର ଗୋରୁଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ଜବତ ହୋଇଥିବା ଗୋଟିଏ ଗାଡ଼ି ଓଡି ୦୫ ଏଏଲ୍‌ ୬୨୧୨ ନମ୍ବର ବିଶିଷ୍ଟ ହୋଇଥିବାବେଳେ ଏବଂ ଅନ୍ୟଟି ନମ୍ବରବିହୀନ। ଗୋରୁମାନଙ୍କୁ ପରଜଙ୍ଗରୁ କଣ୍ଟାପାଳ ଗଁା ଦେଇ ତିଗିରିଆ ଚାଲାଣ କରାଯାଉଥିଲା। ଉଭୟ ଗାଡ଼ିକୁ ଧରିବା ପରେ ଥାନାକୁ ସୂଚନା ଦିଆଯାଇଥିଲା। ହେଲେ କୌଣସି କର୍ମଚାରୀ ଆସି ନ ଥିବା ଲୋକମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ବିଷ୍ଣୁଚରଣ ବାରିକ କୁହନ୍ତି, ସେ ଏବେ ପାଟକୁରା ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି। ସୂଚନା ପାଇବା ପରେ ଗୋରୁଙ୍କୁ ପୋଲିସ ଜିମା ଦେବାକୁ କୁହାଯାଇଛି। ଅଟକ ଗୋରୁ ବ୍ୟବସାୟୀଙ୍କୁ ପଚରାଉଚୁରା କରାଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।