Categories: ଜାତୀୟ

‘୨ରୁ ଅଧିକ ପିଲା ଥିବା ଦମ୍ପତିଙ୍କୁ ମତାଧିକାରରୁ ବଞ୍ଚିତ କରାଯାଉ’

ପାଟନା,୧୨।୭(ପି.ଟି.):ଜନସଂଖ୍ୟା ବୃ୍‌ଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର ଉଦ୍‌ବେଗ ପ୍ରକାଶ କରିବା ସହ ଯେଉଁମାନଙ୍କର ୨ରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ମତାଧିକାରରୁ ବଞ୍ଚିତ କରିବା ସପକ୍ଷରେ ମତ ଦେଇଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ଏହି ଭାଜପା ନେତା ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଟୁଇଟରରେ ଏକ ଗ୍ରାଫିକ୍‌ ଶେୟାର କରିଛନ୍ତି। ଭାରତର ଜନସଂଖ୍ୟା ୧୯୪୭ରୁ ୨୦୧୯ ମଧ୍ୟରେ ୩୬୬% ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି। ଜନସଂଖ୍ୟା ଅତ୍ୟଧିକ ବୃଦ୍ଧି ଯୋଗୁ ଭାରତର ଅର୍ଥନୀତି, ସାମାଜିକ ସଦ୍‌ଭାବନା, ସମ୍ବଳର ସନ୍ତୁଳନ ବାଧାପ୍ରାପ୍ତ ହେଉଛି। ଧାର୍ମିକ ବ୍ୟବସ୍ଥାର ଆଳ ଦେଖାଇ ଜନ୍ମ ନିୟନ୍ତ୍ରଣ କରାଯାଉ ନାହିଁ ବୋଲି ମୁସଲମାନମାନଙ୍କୁ ଲକ୍ଷ୍ୟ କରି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଭାରତ ଆଉ ଏକ ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଥିବା ଜଣାପଡୁଛି। ଜନ୍ମ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ସବୁ ରାଜନୈତିକ ଦଳ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଲାଗି ୨ରୁ ଅଧିକ ପିଲା ଥିବା ସବୁ ଧର୍ମର ଦମ୍ପତିଙ୍କ ମତାଧିକାର ରଦ୍ଦ କରିବାକୁ ସେ ଯୁକ୍ତି ଦର୍ଶାଇଛନ୍ତି।

Share