୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ ହେଉଛି। ‘ୟେ ରେଶମି ଜୁଲଫେ’, ‘କ୍ୟା ହୁଆ ତେରା ଓ୍ବାଦା’ ଭଳି ଗୀତରେ କଣ୍ଠଦାନ କରିଥିବା ମହାନ ଗାୟକ ମହମ୍ମଦ ରଫିଙ୍କର ଆଜି ଜନ୍ମଦିନ।୧୯୨୪ ଡିସେମ୍ବର ୨୪ରେ ପଞ୍ଜାବ ଅମୃତସର ନିକଟସ୍ଥ କୋଟଲା ସୁଲତାନ ସିଂହରେ ସେ ଜନ୍ମଗ୍ରହଣ କରିଥିଲେ। ନିଜ କ୍ୟାରିୟରରେ ବହୁତ ସୁପରହିଟ ଗୀତରେ କଣ୍ଠଦାନ କରିଥିବା ବେଳେ କଓ୍ବାଲି, ସୁଫି, ରୋମାଣ୍ଟିକ ଓ ଦୁଃଖଦ ଗୀତ ଗାଇ ସେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ହେଲେ ତାଙ୍କର କେତେକ ଗୀତ ପଛରେ କିଛି ରୋଚକ କାହାଣୀ ମଧ୍ୟ ରହିଛି। ଏକଦା ଗୀତ ଗାଉଥିବା ବେଳେ ତାଙ୍କର ମୁହଁରୁ ରକ୍ତ ବାହାରିଥିଲା। କୁହାଯାଏ ଫିଲ୍ମ ବେଜୁ ବାବରାର ‘ ଓ ଦୁନିଆ କେ ରଖଓ୍ବାଲେ’ ଗୀତ ଗାଇବା ପାଇଁ ରଫି ୧୫ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। କିନ୍ତୁ ଗୀତ ଗାଇବା ସମୟରେ ତାଙ୍କର କଣ୍ଠ ପୂରା ଖରାପ୍‌ ହୋଇଯାଇଥିଲା। ସେ ଆଉ ଗୀତ ଗାଇପାରିବେନି ବୋଲି କୁହାଯାଉଥିବା ବେଳେ କିନ୍ତୁ କିଛି ବର୍ଷ ପରେ ସେ ପୁଣି ଉକ୍ତ ଗୀତକୁ ରେକର୍ଡ କରିଥିଲେ। ସେହିପରି ଫିଲ୍ମ ‘ନୀଲକମଲ’ର ସୁପରହିଟ ଗୀତ ‘ ବାବୁଲ କି ଦୁଆଁଏ ଲେତି ଯା’ର ଗୀତ ଗାଉଥିବା ସମୟରେ ସେ କାନ୍ଦିପକାଇଥିଲେ ବୋଲି ଶୁଣିବାକୁ ମିଳିଛି। କାରଣ ଏହି ଗୀତର ରେକର୍ଡିଂର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଝିଅଙ୍କର ନିର୍ବନ୍ଧ କରିଥିଲେ। ଏହି ଗୀତରେ ଭାବୁକ ହୋଇପଡ଼ି ସେ କାନ୍ଦି ପକାଇଥିଲେ। ପରେ ଏହି ଗୀତକୁ ଜାତୀୟ ପୁରସ୍କାର ମିଳିଥିଲା। ତେବେ ରଫିଙ୍କର ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଦୁଇଟି ବିବାହ କରିଥିଲେ। ସେ ନିଜର ପ୍ରଥମ ବିବାହ ସମସ୍ତଙ୍କଠାରୁ ଲୁଚାଇ ରଖିଥିବା ବେଳେ ଏହି କଥା କେବଳ ଘରଲୋକ ଜାଣିଥିଲେ। ଏହି କଥା କେବେ ବି ବାହାରକୁ ଆସି ନ ଥା’ନ୍ତା, ଯଦି ତାଙ୍କ ବୋହୂ ୟାସ୍ମୀନ ଖାଲିଦଙ୍କ ଏକ ବହିରେ ଏନେଇ ଉଲ୍ଲେଖ ହୋଇ ନ ଥା’ନ୍ତା। ତାଙ୍କର ପ୍ରକାଶିତ ଏକ ବହି ‘ମହମ୍ମଦ ରଫି ମେରେ ଅବ୍ବା’.. ରେ ରଫିଙ୍କର ପ୍ରଥମ ବିବାହ ବିଷୟରେ ଲେଖାହୋଇଥିଲା। ୧୩ବର୍ଷ ବୟସରେ ସେ ତାଙ୍କ କକାଙ୍କ ଝିଅ ବଶୀରନ୍‌ ବେଗମଙ୍କୁ ପ୍ରଥମ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ଏହାପରେ ୨୦ବର୍ଷ ବୟସରେ ରଫି ଦ୍ୱିତୀୟ ବିବାହ କରିଥିଲେ।

Share