Categories: ବାଣିଜ୍ୟ

୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବେ ସରକାର

ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରାୟତ୍ତ ଟ୍ରେଡିଂ ଫାର୍ମ ଏମ୍‌ଏମ୍‌ଟିସି ଦ୍ୱାରା ସରକାର ଏହି ପିଆଜ ଆମଦାନୀ କରିବେ ବୋଲି ଶନିବାର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଶନିବାର ବସିଥିବା ସଚିବ ସ୍ତରୀୟ କମିଟିରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏମ୍‌ଏମ୍‌ଟିସି ପିଆଜ ଆଣିବା ପରେ ଏହାକୁ ଯୋଗାଣ ଲାଗି ପ୍ରଦାନ କରିବ। ନଭେମ୍ବର ମଧ୍ୟ ଭାଗରୁ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ସାରା ଦେଶକୁ ପିଆଜ ଯୋଗାଣ ଦିଗରେ ନାଫେଡ୍‌ କାର୍ଯ୍ୟ କରିବ। ଯୋଗାଣ ସମସ୍ୟା ଯୋଗୁ ଗତ ଗୋଟିଏ ମାସ ହେବ ପିଆଜ ଦର ଉଚ୍ଚରେ ରହିଛି। ନୂଆଦିଲ୍ଲୀରେ ପିଆଜର ଖୁଚୁରା ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଦେଶର ଅନ୍ୟ ପ୍ରାନ୍ତରେ ଦର ୬୦ରୁ ୮୦ ଟଙ୍କା ରହିଥିବା ଜଣାପଡିଛି।

Share