Categories: ଖେଳ

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଲେ ଅନ୍ତର୍ଜାତୀୟ ଷ୍ଟାର

ଲାହୋର,୧।୧- ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ନସିମ ଶାହଙ୍କୁ ୧୯ ବର୍ଷରୁ କମ୍‌ ପାକିସ୍ତାନ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳାଯିବ। ୧୬ ବର୍ଷୀୟ ନସିମଙ୍କ ବଦଳରେ ମହମ୍ମଦ ଓ୍ବାସିମ ଜୁନିୟର ଖେଳିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଘୋଷଣା କରାଯାଇଛି। ପିସିବି ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଛି। ସିନିୟର ସ୍ତରରେ ୩ ଟେଷ୍ଟ ଖେଳି ୫ ଉଇକେଟ ସଫଳତା ପାଇସାରିଥିବା ନସିମଙ୍କୁ ବାଦ୍‌ ଦିଆଯାଇଛି ବୋଲି ପିସିବି କାର୍ଯ୍ୟକାରୀ ମୁଖ୍ୟ ଓ୍ବାସିମ ଖାନ କହିଛନ୍ତି। ସେ ଆହୁରି କହିଛନ୍ତି, ଡାହାଣହାତି ପେସର ପାକିସ୍ତାନରେ ରହି ବୋଲିଂ କୋଚ୍‌ ଓ୍ବାକର ୟୁନିସଙ୍କ ସହ ଟ୍ରେନିଂ କରିବେ। ସେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍‌ ପାଇଁ ମଧ୍ୟ ଉପଲବ୍ଧ ରହିବେ ବୋଲି କୁହାଯାଇଛି। ଶାହ ପାକିସ୍ତାନ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବରୁ ୨୦୦୪ ଓ ୨୦୦୬ ସଂସ୍କରଣ ଚାମ୍ପିୟନ ପାକିସ୍ତାନ ୩ ଥର ଉପବିଜେତା ହୋଇସାରିଛି। ଦଳ ଚଳିତ ଥର ୧୬ ଦଳ ବିଶିଷ୍ଟ ଟୁର୍ନାମେଣ୍ଟରେ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ଚଳିତ ମାସ ୧୯ ତାରିଖରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ଭେଟିବ। ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେ (୨୨ ଜାନୁୟାରୀ) ଓ ବାଂଲାଦେଶ (୨୪ ତାରିଖ) ସହ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳିବ।

Share