୧୮ରୁ ଶିମିଳିପାଳରେ ବାଘଗଣନା

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ୧୮ ତାରିଖରୁ ମହାବଳ ବାଘଗଣନା ଆରମ୍ଭ ହେବ। ଏହା ୭ଦିନ ଧରି ଚାଲିବ। ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୧୭୩ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ରେଞ୍ଜ ଅଫିସର, ଏସିଏଫ୍‌ ଓ ଉପନିର୍ଦ୍ଦେଶକମାନେ ଉକ୍ତ କାର୍ଯ୍ୟକୁ ତଦାରଖ କରିବେ ବୋଲି ବିଭାଗ ସୂଚନା ଦେଇଛି।
୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସ୍‌ଟିଆର) ଅଧୀନରେ ୨ଟି ଡିଭିଜନ ରହିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ୧୬ଟି ରେଞ୍ଜର ୧୭୩ଟି ବିଟ୍‌ ହାଉସ୍‌ରେ ଏହି ଗଣନା କାର୍ଯ୍ୟ କରାଯିବ। ସେହିପରି ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଡିଭିଜନ ଅଧୀନରେ ଥିବା କେତେକ ରେଞ୍ଜରେ ବାଘଗଣନା କରାଯିବା ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରେସର ଇମ୍ପ୍ରେସନ ପ୍ୟାଡ୍‌ ଅଥବା ପିଆଇପି, ଟ୍ରାପ କ୍ୟାମେରା, ପଗ ମାର୍କ(ପାଦ ଚିହ୍ନ), ଗଣନା ଓ ଟ୍ରାନଜେକ୍ଟ ଲାଇନ ମାଧ୍ୟମରେ ବାଘ ଗଣନା କରାଯିବ। ଠିକ୍‌ ଭାବେ ଗଣନା କରାଯିବା ପାଇଁ ଏକ ସ୍ବତନ୍ତ୍ର ଆପ୍‌ର ବ୍ୟବହାର କରାଯାଉଛି। ସେହିପରି ଅଭୟାରଣ୍ୟର ଚହଲା, ପିଠାବଟା ଆଦି ଅଞ୍ଚଳରେ ବାଘର ଉପସ୍ଥିତିକୁ ନେଇ ଟ୍ରାପ୍‌ କ୍ୟାମେରାର ସହାୟତା ନିଆଯାଉଛି। ଏପରିକି ବିରଳ ପ୍ରଜାତିର କଳା ବାଘକୁ ନେଇ ଶିମିଳିପାଳ ସ୍ବତନ୍ତ୍ରତା ହାସଲ କରିଥିବା ବେଳେ ଏହାର ସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ଗଣତି ପ୍ରକ୍ରିୟାରେ ବନବିଭାଗ ପକ୍ଷରୁ ତାଲିମପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ତେବେ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଆଶା ବ୍ୟକ୍ତ କରିଛନ୍ତି।