୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍‌ ମଧ୍ୟରେ ରହିଥିବା ଘନିଷ୍ଟ ସମ୍ପର୍କ। ଆଉ ଏହି ସମ୍ପର୍କ ବହୁ ପୁରୁଣା। ୧୭୦୦ ବର୍ଷ ତଳେ ଏହି ସହର ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ଯୋଡ଼ିଥିଲା, ଯାହାକି ଏ ପର୍ଯ୍ୟନ୍ତ ଅତୁଟ ରହିଛି। ଚାଇନାରେ ବୌଦ୍ଧ ଧର୍ମର ଯେଉଁ ସମ୍ପ୍ରଦାୟର ଅଧିକ ପ୍ରଚାର ପ୍ରସାର ଘଟିଛି, ସେଥିରେ ମାମଲ୍ଲାପୁରମ୍‌ ସହରର ମୁଖ୍ୟ ଭୂମିକା ରହିଛି। କେବଳ ଧର୍ମ ନୁହେଁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ କାରବାର କ୍ଷେତ୍ରରେ ମଧ୍ୟ ଏହି ସହର ଏକଦା ପ୍ରମୁଖ କେନ୍ଦ୍ର ଥିଲା।
ବିଷୟ ହେଲା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଇତିହାସରେ ବିଶେଷ ରୁଚି ରହିଛି, ଯାହାକି ମୋଦି ବେଶ୍‌ ଜାଣନ୍ତି। ଏହାସହ ବିଦେଶୀ ରାଷ୍ଟ୍ର ପ୍ରମୁଖଙ୍କ ଗସ୍ତ ସମୟରେ ସେମାନଙ୍କୁ ନୂଆଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟ ପ୍ରମୁଖ ସହର ବୁଲାଇବା ଏବଂ ଦେଖାଇବା ଦ୍ୱାରା ଭାରତର ସ୍ବତନ୍ତ୍ରତା ସମ୍ପର୍କରେ ସେମାନେ ଜାଣିପାରିବେ। ଚାଇନାର ପ୍ରସିଦ୍ଧ ପରିବ୍ରାଜକ ହୁଏନ୍‌ ସାଂ ମଧ୍ୟ ମାମଲ୍ଲାପୁରମ୍‌ ଯାତ୍ରାରେ ଆସିଥିଲେ ଏବଂ ନିଜ ଲେଖା ମାଧ୍ୟମରେ ଏହି ସହରର ଗୁଣଗାନ କରିଥିଲେ। ସହରର ବଡ଼ ସ୍ବତନ୍ତ୍ରତା ହେଲା ଚାଇନାର ତତ୍କାଳୀନ ଶାସକମାନେ ପଲ୍ଲବ ବଂଶର ରାଜାମାନଙ୍କ ସହ ସମ୍ଭବତଃ ପ୍ରଥମ ପ୍ରତିରକ୍ଷା ବୁଝାମଣା କରିଥିଲେ। ଏଥିରେ ଦକ୍ଷିଣ ଭାରତରେ ରାଜତ୍ୱ ବିସ୍ତାର କରିଥିବା ପଲ୍ଲବ ବଂଶର ରାଜାଙ୍କୁ ଚାଇନାର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ସେହି ସମୟରେ ଦକ୍ଷିଣ ଭାରତ ଚାଇନା ପାଇଁ ଏକ ପ୍ରମୁଖ ବାଣିଜି୍ୟକ ପେଣ୍ଠସ୍ଥଳୀ ପାଲଟିଥିଲା। ପଲ୍ଲବ ବଂଶ ଏବଂ ଚୋଳ ବଂଶର ରାଜାଙ୍କ ଶାସନର ପ୍ରଚାର ପ୍ରସାର କ୍ଷେତ୍ରରେ ମଧ୍ୟ ଚାଇନାର ତକତ୍ାଳୀନ ଶାସକମାନେ ସହଯୋଗ କରିଥିବା ଜଣାପଡ଼େ।

Share