Categories: ଫୁରସତ

୧୫ ସ୍ତ୍ରୀଙ୍କ ପାଇଁ ଶହେ କୋଟିର କାର୍‌ କିଣିଲେ ଗରିବ ଦେଶର ରାଜା

ବିଶ୍ୱର ଗରିବ ଦେଶ ଭାବେ ବେଶ୍‌ ଜଣାଶୁଣା ଆଫ୍ରିକାର ସ୍ବାଜିଲାଣ୍ଡ ବା ଏବେକାର ଇସ୍ବାତିନି। ଏଠାରେ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରୁହନ୍ତି ବୋଲି କୁହାଯାଏ। ହେଲେ ଏଠାକାର ରାଜା ମସ୍ବତି-୩ ଖୁବ୍‌ ବିଳାସ ବ୍ୟସନରେ ଦିନ କାଟନ୍ତି। ନିକଟରେ ସେ ତାଙ୍କ ୧୫ ଜଣ ସ୍ତ୍ରୀଙ୍କ ପାଇଁ ୧୧୯ କୋଟି ଟଙ୍କାର ବିଳାସମୟ କାର୍‌ କିଣି ଆସିଛନ୍ତି ଚର୍ଚ୍ଚାକୁ। ସ୍ବାଜିଲାଣ୍ଡ ବିଭିନ୍ନ କାରଣକୁ ନେଇ ଅନେକ ସମୟରେ ବଦନାମ ହୋଇଥାଏ ବୋଲି କୁହାଯାଏ। ଏଠାରେ ବହୁବିବାହ ଆଇନ ସମ୍ମତ। ତେଣୁ ରାଜା ମସ୍ବତି-୩, ୧୫ ସ୍ତ୍ରୀ ଗ୍ରହଣ କରିଥିବା ବେଳେ ଏବେ ତାଙ୍କ ପାଖରେ ୧୪ ଜଣ ରହିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଯାଇଛି। କୁହାଯାଏ ଏଠାରେ ପ୍ରତିବର୍ଷ ଟପ୍‌ଲେସ୍‌ କୁମାରୀ ଝିଅଙ୍କର ପରେଡ୍‌ କରାଯାଇଥାଏ। ସେମାନଙ୍କ ମଧ୍ୟରୁ ରାଜା ପ୍ରତିବର୍ଷ ଜଣେ ସ୍ତ୍ରୀ ବାଛି ଥାଆନ୍ତି। ଆଉ ଏଥିରେ ଯେଉଁ ଯୁବତୀମାନେ ଭାଗ ନେଇ ନ ଥାଆନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ଦିଆଯାଇଥାଏ। ଏହି ପରେଡକୁ ନେଇ ବିରୋଧ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏହାକୁ ବନ୍ଦ କରାଯାଇ ପାରୁ ନ ଥିବା କୁହାଯାଏ। ନିକଟରେ ରାଜା ମସ୍ବତି-୩ ତାଙ୍କ ସ୍ତ୍ରୀମାନଙ୍କ ପାଇଁ ୧୫ ରୋଲ୍ସ-ରୟସିଜ୍‌ ଓ ବିଏମ୍‌ଡବ୍ଲୁ କାର୍‌ କିଣିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ରାଜା ମସ୍ବତି-୩ ତାଙ୍କ ଜନ୍ମଦିନରେ ଦେଶର ନାଁ ସ୍ବାଜିଲାଣ୍ଡରୁ ବଦଳାଇ ଇସ୍ବାତିନି କରିଥିଲେ। ହେଲେ ଏପର୍ଯ୍ୟନ୍ତ ଅନେକ ଲୋକ ଏହାକୁ ସ୍ବାଜିଲାଣ୍ଡ ବୋଲି ଜାଣନ୍ତି। ତେବେ ରାଜାଙ୍କ ପାଖରେ ୧୪୩୪ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ନିଜର ପ୍ରାଇଭେଟ୍‌ ଜେଟ୍‌ ସହ ଏୟାରପୋର୍ଟ ମଧ୍ୟ ରହିଛି ବୋଲି କୁହାଯାଏ। ଗରିବ ଦେଶର ରାଜା ହୋଇ ନିଜ ପରିବାର ପାଇଁ ଏତେ ଅର୍ଥ ଖର୍ଚ୍ଚ କରୁଥିବାରୁ ସାଧାରଣ ଲୋକେ ଏହାର ବିରୋଧ କରି ଆସୁଛନ୍ତି। ଏମିତିକି ତାଙ୍କ କାର୍‌ କିଣାକୁ ନେଇ ଲୋକେ ସୋସିଆଲ ମିଡଆରେ ମଧ୍ୟ ବିରୋଧ କରିଛନ୍ତି। ତେବେ ୧୫ ସ୍ତ୍ରୀ ଗ୍ରହଣ କରିଥିବା ଏହି ରାଜାଙ୍କର ୨୫ରୁ ଊର୍ଦ୍ଧ୍ୱ ସନ୍ତାନ ରହିଛନ୍ତି। ଜଣେ ସ୍ତ୍ରୀ ରାଜାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଆତ୍ମହତ୍ୟା କରିଥିବା କୁହାଯାଏ।

Share