Categories: ଜାତୀୟ

୧୫ ଦିନ ମଧ୍ୟରେ ଡେଙ୍ଗୁ କବଳରେ ଚାଲିଗଲା ପୂରା ପରିବାରର ଜୀବନ: କେବଳ ନବଜାତ ଶିଶୁ ଜୀବନ୍ତ

ହାଇଦ୍ରାବାଦ,୩୧।୧୦: ତେଲେଙ୍ଗାନାର ମଞ୍ଚେରିୟଲ ଜିଲାରେ ରହୁଥିବା ଏକ ପରିବାର ୧୫ଦିନ ମଧ୍ୟରେ ଡେଙ୍ଗୁ କବଳକୁ ଚାଲିଯାଇଛନ୍ତି। କଥାଟା ବିଶ୍ୱାସ ନ ହେଲେ ବି ସତ। ସୂଚନାଯୋଗ୍ୟ, ପରିବାରରେ ପ୍ରଥମେ ରାଜଗଡ୍ଡୁ(୩୦)ଙ୍କୁ ଡେଙ୍ଗୁ ହୋଇଥିଲା। ଶିକ୍ଷକ ଭାବେ କାମ କରୁଥିବା ରାଜଗଡ୍ଡୁଙ୍କୁ ଡେଙ୍ଗୁ ହେବା ପରେ ସେ ମଞ୍ଚେରିୟଲ ଜିଲାରୁ କରିମନଗର ସିପ୍ଟ ହୋଇ ଯାଇଥିଲେ। ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ବେଳ ଅକ୍ଟୋବର ୧୬ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ରାଜଗଡ୍ଡୁଙ୍କ ୭୦ ବର୍ଷୀୟ ଜେଜେ ଡେଙ୍ଗୁରେ ପୀଡିତ ହୋଇ ଅକ୍ଟୋବର ୨୦ରେ ମୃତ୍ୟୁ ମୁଖରେ ପଡିଲେ। ଏହାର ଠିକ୍‌ ୭ଦିନ ପରେ ରାଜଗଡ୍ଡୁଙ୍କ ୬ ବର୍ଷର ଝିଅ ଓ୍ବର୍ଷିନି ଡେଙ୍ଗୁରେ ପୀଡିତ ହୋଇ ଅକ୍ଟୋବର ୨୭ ଅର୍ଥାତ୍‌ ଦୀପାବଳି ରାତିରେ ଆଖି ବୁଜିଥିଲେ। ଏହାପରେ ରାଜଗଡ୍ଡୁଙ୍କ ସ୍ତ୍ରୀ ୨୮ ବର୍ଷୀୟ ସୋନି ଗର୍ଭବତୀ ଥିବା ବେଳେ ଏପଟେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସେ ଗତ ମଙ୍ଗଳବାର ଅର୍ଥାତ୍‌ ୨୯ ଅକ୍ଟୋବରରେ ଗୋଟିଏ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ଅର୍ଥାତ୍‌ ବୁଧବାର(୩୦ ଅକ୍ଟୋବର)ରେ ସେ ବି ଡେଙ୍ଗୁ ଯୋଗୁ ପ୍ରାଣ ହରାଇଲେ। ଏବେ ସମ୍ପୂର୍ଣ୍ଣ ପରିବାର ଡେଙ୍ଗୁର ଆଁରେ ପ୍ରାଣ ହରାଇଥିବା ବେଳେ ଜୀବିତ ରହିଯାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ଘଟଣା ଏବେ ସରକାରି କଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share