Categories: ଖେଳ

ମାଇଲଷ୍ଟୋନ ସ୍ପର୍ଶ କଲେ ଓଡ଼ିଆ ଖେଳାଳି ସୁନିତା

ଜିନଚେଓନ(କୋରିଆ),୨୨।୫- ଭାରତୀୟ ମହିଳା ହକି ଦଳର ଅନ୍ୟତମ ବ୍ୟାକଲାଇନ ଖେଳାଳି ସୁନିତା ଲାକ୍ରା ବୁଧବାର ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ରିପବ୍ଲିକ କୋରିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ଓଡ଼ିଆ ଖେଳାଳି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ୨୦୦୯ରେ ପଦାର୍ପଣ କରିଥିଲେ ସୁନିତା। ୧୦ ବର୍ଷ ଧରି ଜାତୀୟ ଦଳର ସେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି (୨୦୧୬) ଓ ୯ମ ମହିଳା ଏସିଆ କପ୍‌ (୨୦୧୭) ଜିତିବା ସହ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ଜିତିଥିଲା। ନିକଟରେ ବିବାହ କରିଥିବା ଡିଫେଣ୍ଡରଙ୍କ ନେତୃତ୍ୱରେ ଭାରତ ମହିଳା ଏସିଆନ୍‌ ଚାମ୍ପିୟନଶିପ୍‌ ଟ୍ରଫିରେ ରୌପ୍ୟ ପଦକ ପାଇଥିଲା। ୨୦୧୮ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମୋତେ ଦଳୀୟ ଖେଳାଳିଙ୍କ ସମର୍ଥନ ମିଳିଥିବାରୁ ମୁଁ ଏତେ ବର୍ଷ ଧରି ଭାରତ ପାଇଁ ଖେଳିପାରିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବା ମୋର ଲକ୍ଷ୍ୟ ବୋଲି ସୁନିତା କହିଛନ୍ତି। ଏହି ଅବସରରେ ହକି ଇଣ୍ଡିଆ (ଏଚ୍‌ଆଇ) ସୁନିତାଙ୍କୁ ଶୁଭେଚ୍ଛା ଜଣାଇଛି।

Share