୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ସୁଭାଷ ଜେଲରୁ ଫେରିବା ପରେ ଏବେ ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୭ରେ ସେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ହେଲେ ୨୦୦୨ରେ ଏକ ହତ୍ୟା ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ସେଠାରେ ଥିବା ସମୟରେ ସେ ଜେଲ୍‌ ଓପିଡିରେ କାମ କରିଥିଲେ। ତାଙ୍କର ଭଲ ବ୍ୟବହାର ପାଇଁ ୨୦୧୬ରେ ସେ ଜେଲରୁ ମୁକୁଳିଥିଲେ। ଆଉ ୨୦୧୯ରେ ସେ ଏମ୍‌ବିବିଏସ୍‌ ଶେଷ କରିଥିବା କହିଛନ୍ତି। ଚଳିତ ମାସରେ ଏମ୍‌ବିବିଏସ୍‌ ଡିଗ୍ରୀ ପାଇଁ ଆବଶ୍ୟକ ଥିବା ଗୋଟିଏ ବର୍ଷର ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ ସମାପ୍ତ କରିଛନ୍ତି ସୁଭାଷ। ସୂଚନାଯୋଗ୍ୟ, ୨୦୦୨ରେ ସୁଭାଷଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରାଯାଇଥିବା ବେଳେ ୨୦୦୬ରେ ତାଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ୨୦୧୬ ସ୍ବାଧିନତା ଦିବସରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା।

Share