Categories: ବାଣିଜ୍ୟ

୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼ କମ୍ପାନୀ ଏବଂ ବଜାର ସହ ଜଡ଼ିତ ରିସର୍ଚ୍ଚ କରୁଥିବା ବ୍ୟକ୍ତି ଓ ସଂସ୍ଥା ଏହି ଡାଟାକୁ ଚୋରାରେ କିଣୁଛନ୍ତି। ଇଣ୍ଟରନେଟ୍‌ରେ ଥିବା ଏକ ସ୍ବତନ୍ତ୍ର ଧରଣର ସଫ୍ଟଓ୍ବେର ଜରିଆରେ ଲୋକଙ୍କ ପାସ୍‌ଓ୍ବର୍ଡ, ମୋବାଇଲ ନମ୍ବର ଓ ଇ-ମେଲ ଆଇଡିକୁ କିଣାଯାଉଛି। ଏଭଳି ସ୍ଥିତିରେ ୟୁଜରଙ୍କୁ ଆହୁରି ଟିକେ ସାବଧାନ ହେବାକୁ ପଡିବ। ସାଇବର ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, କଞ୍ଜ୍ୟୁମରଙ୍କ ବ୍ୟବହାର ଜାଣିବା ଅଥବା ଭିଡ଼ିଓ ଷ୍ଟ୍ରିମିଂ ଓ୍ବେବ୍‌ସାଇଟର ମାଗଣାରେ ଆକ୍ସେସ କରିବା ଲାଗି ଏହି ଚୋରା ଡାଟାକୁ ବ୍ୟବହାର କରାଯାଉଛି। ଏହି ଡାଟାକୁ ବିଶ୍ୱର ପ୍ରାୟ ୨୫୦ରୁ ଅଧିକ ବିଖ୍ୟାତ ଓ୍ବେବ୍‌ସାଇଟ ଓ ଆପ୍‌ରୁ ସଂଗ୍ରହ କରାଯାଏ। ଏହାଛଡ଼ା ୮ ହଜାରରୁ ଅଧିକ ଛୋଟ ଓ୍ବେବ୍‌ସାଇଟ୍‌ରୁ ମଧ୍ୟ ଡାଟା ସଂଗୃହୀତ ହୁଏ। ଜଣେ ସାଧାରଣ ବ୍ୟକ୍ତିଙ୍କ ଡାଟାକୁ ମାତ୍ର ୧ ଟଙ୍କା ଏବଂ କୌଣସି ବିଖ୍ୟାତ ବ୍ୟକ୍ତିଙ୍କ ଡାଟାକୁ ୫୦୦ରୁ ୨୦୦୦ ଟଙ୍କାରେ ବିକ୍ରି କରାଯାଏ। ଏହି ଡାଟାସବୁକୁ କିଣିବା ଲାଗି କ୍ରିପ୍ଟୋକରେନ୍ସିର ବ୍ୟବହାର ହୋଇଥାଏ। ଗୋଟିଏ ପ୍ରକାର ପାସ୍‌ଓ୍ବର୍ଡ ଏକାଧିକ ଆକାଉଣ୍ଟ ଲାଗି ବ୍ୟବହାର କରାଯାଉଥିଲେ ଏହି ବିପଦ ଅଧିକ ହୋଇଥାଏ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହାଛଡ଼ା ଭିନ୍ନ ଭିନ୍ନ ପାସ୍‌ଓ୍ବର୍ଡ ମଧ୍ୟ ଏକାଭଳି ହୋଇଥିଲେ ମଧ୍ୟ ଏହା ବିପଦପୂର୍ଣ୍ଣ ବୋଲି ସେମାନେ କହିଛନ୍ତି। ଏଣୁ ଇ-ମେଲ୍‌, ସୋସିଆଲ ମିଡିଆ ପ୍ରୋଫାଇଲ ଏବଂ ବ୍ୟାଙ୍କ ଆକାଉଣ୍ଟ ଲାଗି ଭିନ୍ନ ଭିନ୍ନ ପାସ୍‌ଓ୍ବର୍ଡ ହେବା ଉଚିତ୍‌ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ବେକାର ଅଥବା ସ୍ପାମ୍‌ ଇ-ମେଲ୍‌ ନ ଖୋଲି ଏହାକୁ ତୁରନ୍ତ ଡିଲିଟ୍‌ କରିଦେବା ଉଚିତ୍‌ ହେବ। ଆଜିକାଲି ଋଣ ଅଫର ଦିଆଯାଉଥିବା ଅଧିକାଂଶ ଇ-ମେଲ୍‌ ହ୍ୟାକରଙ୍କ ଦ୍ୱାରା ପଠାଯାଉଛି ବୋଲି ସେମାନେ କହିଛନ୍ତି।

Share