Categories: ବାଣିଜ୍ୟ

୧୧ ଡିଜିଟ୍‌ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ,୨୨-୯: ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଦେଶରେ ମୋବାଇଲ ନମ୍ବରକୁ ବର୍ତ୍ତମାନର ୧୦ ସ୍ଥାନରେ ୧୧ ଡିଜିଟ୍‌(ଅଙ୍କ) କରାଯିବା ନେଇ ପରାମର୍ଶ ଲୋଡିଛି। ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟେଲିକମ୍‌ ସଂଯୋଗ ଚାହିଦା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ଆପଣାଇବାକୁ ଟ୍ରାଇ ପ୍ରସ୍ତାବ ଦେଇଛି। ଏ ସମ୍ପର୍କରେ ଟ୍ରାଇ ଏକ ଡିସ୍‌କଶନ ବା ଆଲୋଚନା ପତ୍ର ଜାରି କରିଛି। ‘ଏକିକୃତ ଅଙ୍କ ଯୋଜନାର ବିକାଶ’ ନାମରେ ଆଲୋଚନାପତ୍ର ଜାରି କରି କୁହାଯାଇଛି ଯେ, ୧୧ ଡିଜିଟ୍‌ ନମ୍ବର ଯୋଜନାକୁ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ୍‌ ଫୋନ କ୍ଷେତ୍ରରେ ଲାଗୁ କରାଯିବ। ଏହି ନୂଆ ଯୋଜନା ଲାଗୁ କରିବାର କାରଣ ମଧ୍ୟ ଏଥିରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ୨୦୫୦ ସୁଦ୍ଧା ଓ୍ବାର୍‌ଲେସ୍‌ ଫୋନ ହାର ୨୦୦ ପ୍ରତିଶତ ବଢ଼ିଲେ ଅର୍ଥାତ୍‌ ଜଣଙ୍କ ନିକଟରେ ଦୁଇଟି ମୋବାଇଲ ଫୋନ ରହିଲେ ଦେଶରେ ସକ୍ରିୟ ମୋବାଇଲ ଫୋନ ସଂଖ୍ୟା ୩.୨୮ ବିଲିୟନରେ ପହଞ୍ଚତ୍ୟିବ। ବର୍ତ୍ତମାନ ଦେଶରେ ୧.୨ ବିଲିୟନ ଫୋନ ସଂଯୋଗ ରହିଛି। ୨.୧ ବିଲିୟନ ମୋବାଇଲରେ ୭,୮ ଓ ୯ରୁ ଆରମ୍ଭ ହେଉଥିବା ୧୦ ଡିଜିଟର ନମ୍ବର ସଂଯୋଗ ଦେଇହେବ। ଏଣୁ ଆଗାମୀ ଦିନରେ ୧୧ ଡିଜିଟ୍‌ ନମ୍ବର ଦେବାର ଆବଶ୍ୟକତା ବଢ଼ିବ ବୋଲି ଡିସ୍‌କଶନ ପତ୍ରରେ ଦର୍ଶାଯାଇଛି। ସୂଚନାଥାଉ କି, ଭାରତରେ ଏଥିପୂର୍ବରୁ ୧୯୯୩ ଓ ୨୦୦୩ରେ ନମ୍ବରିଂ ପ୍ଲାନ୍ସର ସମୀକ୍ଷା ହୋଇଥିଲା।

Share