ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଗ ସହ ଜିମ୍ ଯାଉଥିବା ବେଳେ ଲଗାତାର କଠିନ ପରିଶ୍ରମ କରୁଛନ୍ତି। ଏହାରି ଭିତରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ଯୁବକ ଫିଟ୍ନେସ୍କୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଇନ୍ଦୋରର ଗଣେଶ ନଗରରେ ରହୁଥିବା ଫିଜିକାଲ ଟ୍ରେନର ନିରଜ ମାଲବିୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ନିରଜ ନିଜ ବିବାହକୁ ସ୍ମୃତି କରି ରଖିବାକୁ ଓ ଫିଟ୍ନେସ୍କୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଇଥିଲେ। ବିବାହକୁ ସ୍ବତନ୍ତ୍ର କରିବା ଲାଗି ବରାଯାତ୍ରୀରେ ଲୋକେ ଦୌଡି ଦୌଡି ଯିବା ପାଇଁ ନିରଜ ଯୋଜନା କରିଥିଲେ। ଏହି ଯୋଜନା ପ୍ରଥମେ ଘରଲୋକଙ୍କୁ ଚକିତ କରିଦେଇଥିଲା। ହେଲେ ଏହା ପଛରେ ଥିବା ନିରଜଙ୍କ ମୂଳ ଉଦ୍ଦେଶ୍ୟକୁ ଜାଣିପାରି ତାଙ୍କ କଥାରେ ଘରଲୋକ ମଧ୍ୟ ସହମତି ପ୍ରକାଶ କରିଥିଲେ। ଏହାପରେ ତାଙ୍କ ବରଯାତ୍ରୀରେ ସମସ୍ତେ ଦୌଡିକି ଯାଇଥିଲେ। ଏପରିକି ନିଜେ ନିରଜ ମଧ୍ୟ ଶେରଓ୍ବାନି ପିନ୍ଧି ଦୀର୍ଘ ୧୧କିଲୋମିଟର ଦୌଡ଼ି ଦୌଡି ବିବାହ କରିବା ପାଇଁ ଝିଅ ଘରେ ପହଞ୍ଚିଥିଲେ। ତାଙ୍କ ବରଯାତ୍ରୀ ଦଶହରା ମୈଦାନରୁ ବାହାରି ସଙ୍ଗମ ନଗର ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏଥିରେ ୫୦ଜଣ ସାମିଲ ହୋଇଥିଲେ।

ସବୁଠାରୁ ବଡ଼ କଥା ହେଲା ଏଥିରେ ୧୮ ବୟସରୁ ଆରମ୍ଭ କରି ୭୦ ବର୍ଷ ବୟସ୍କ ପର୍ଯ୍ୟନ୍ତ ବ୍ୟକ୍ତି ସାମିଲ ହୋଇଥିଲେ। ତେବେ ରାସ୍ତାରେ ବର ଶେରଓ୍ବାନି ପିନ୍ଧି ଦୌଡୁଥିବା ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷେ ନିରଜଙ୍କ ଏଭଳି ପଦକ୍ଷେପକୁ କନ୍ୟାପକ୍ଷ ପ୍ରଶଂସା କରିଥିବା ବେଳେ କନ୍ୟା ନୀକିତା ବିଲୋରେ ମଧ୍ୟ ନୀରଜଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍ ଇଣ୍ଡିଆ ସ୍ଳୋଗାନରୁ ପ୍ରେରିତ ହୋଇ ଫିଟ୍ନେସ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିରଜଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ ଜଣାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


