Categories: ଫୁରସତ

୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି

ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି କୁହାଯାଏ। ଏହି ହୋଟେଲରେ ପ୍ରାୟ ୧୦ ହଜାର କୋଠରି ରହିଛି। ଏହାର ନିର୍ମାଣ ୧୯୩୬-୧୯୩୯ ମଧ୍ୟରେ କରାଯାଇଥିବା କୁହାଯାଏ। ସେ ସମୟରେ ଜର୍ମାନୀରେ ହିଟ୍‌ଲର ଓ ନାଜି ସେନାଙ୍କର ଶାସନ ଥିଲା। ନାଜିମାନେ ଏହି ହୋଟେଲକୁ ଷ୍ଟ୍ରେନ୍ଥ ଥ୍ରୁ ଜୟ କାର୍ଯ୍ୟକ୍ରମ ଆଧାରରେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଏହି ହୋଟେଲର ନିର୍ମାଣ କାର୍ଯ୍ୟରେ ପାଖାପାଖି ୯ ହଜାର ଶ୍ରମିକ ଲାଗିଥିବା କୁହାଯାଏ। ଏହି ହୋଟେଲର ନାଁ ହୋଟେଲ ଦା ପ୍ରୋରା ରଖାଯାଇଛି। ଏହା ଏକ ସ୍ମାରକସ୍ଥଳ ଭଳି ଦେଖାଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଥିବା କୁହାଯାଏ। ଏହା ସମୁଦ୍ର ନିକଟରୁ ପାଖାପାଖି ୧୫୦ ମିଟର ଦୂରରେ ନିର୍ମାଣ କରାଯାଇଛି। ଏହାକୁ ୮ ଭାଗରେ ବିଭକ୍ତ କରାଯାଇଛି। ପାଖାପାଖି ୪.୫ କିଲୋମିଟର ଅଞ୍ଚଳରେ ଏହାର ନିର୍ମାଣ କରାଯାଇଛି। ଏଥିରେ ସିନେମା ହଲ୍‌ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଓ ଫେଷ୍ଟିଭାଲ ହଲ୍‌ ଭଳି ବିଭିନ୍ନ ପ୍ରକାରର ସୁବିଧା ରହିଛି। ଏବେ ପ୍ରଶ୍ନ ଉଠୁଛି ଯଦି ଏଠାରେ ଏତେ ସବୁ ସୁବିଧା ରହିଛି ତେବେ ଏଠାରେ କେହି ଅତିଥି କାହିଁକି ରହିଲେ ନାହିଁ। କୁହାଯାଏ ଏହି ହୋଟେଲ ନିର୍ମାଣ ଚାଲିଥିବା ସମୟରେ ଅର୍ଥାତ୍‌ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ସେତେବେଳେ ଏହି ହୋଟେଲ କାମ ସରି ନ ଥିଲା। ଅନ୍ୟପଟେ ଏହି ହୋଟେଲ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନେ ଯୁଦ୍ଧ କାରଖାନାରେ କାମ କରିବାକୁ ଚାଲି ଯାଇଥିଲେ। ୧୯୪୫ରେ ଯୁଦ୍ଧ ତ ସରିଲା। ହେଲେ ସେତେବେଳକୁ ଏହି ହୋଟେଲ ଉପରୁ ସମସ୍ତଙ୍କର ଧ୍ୟାନ ହଟି ଯାଇଥିଲା। ଏବେ ଏହା ନଷ୍ଟ ହେବାରେ ଲାଗିଛି। କୁହାଯାଏ ଯଦି ଏହି ହୋଟେଲ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ଥାଆନ୍ତା ତେବେ ଏହା ବିଶ୍ୱର ସବୁଠାରୁ ବଡ ଓ ବିଳାସପୂର୍ଣ୍ଣ ହୋଟେଲ ହୋଇଥାଆନ୍ତା।

Share