୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ ଡିଏଲ୍‌ଓଙ୍କ ଦାୟିତ୍ୱରେ ଥିବା ବେଳେ ନୂତନ ଡିଏଲ୍‌ଓ ନିଯୁକ୍ତି, ଶ୍ରମିକଙ୍କ ନୂତନ ପଞ୍ଜୀକରଣ, ଶିକ୍ଷାଗତ ସହାୟତା, ମୃତ୍ୟୁକାଳୀନ ସହାୟତା, ପ୍ରସୂତିକାଳୀନ ସହାୟତା ଆଦି ସେମାନଙ୍କର ଦାବି ରହିଛି।
ସୂଚନାଯୋଗ୍ୟ,ପୂର୍ବରୁ ନିର୍ମାଣ ଶ୍ରମିକମାନଙ୍କ ପ୍ରତି ହେଉଥିବା ଅବହେଳା ଓ ଅନିୟମିତତାର ୧୪ ଦିନ ଭିତରେ ସମାଧାନ ଲାଗି ଜିଲା ପ୍ରଶାସନକୁ ଏକ ଦାବିପତ୍ର ଦିଆଯାଇଥିଲା। ମାତ୍ର ଏହାର ସମାଧାନ ନ ହେବାରୁ ବୁଧବାର ସଂଘର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ସ୍ଥାନୀୟ ଗାନ୍ଧୀ ପାର୍କଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଡିଏଲ୍‌ସିଙ୍କ ଏକ କୁଶପୁତ୍ତଳିକା ଦାହ କରିଛନ୍ତିି। ଆଗାମୀ ଦିନରେ ଏ ସମସ୍ୟାର ସମାଧାନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରମ କାର୍ଯ୍ୟାଳୟ ବନ୍ଦ କରିବା ଲାଗି ସେମାନେ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲାପାଳ କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ।