ୟୁରୋପକୁ ବ୍ୟାପୁଛି କରୋନା ଭାଇରସ୍‌

ଲଣ୍ଡନ/ବେଜିଂ/ନୂଆଦିଲ୍ଲୀ, ୨୭ା୨: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ କ୍ରମଶଃ ୟୁରୋପୀୟ ଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ତେବେ ଭୟ କରିବାର କିଛି ନାହିଁ ବୋଲି ୟୁରୋପ ସଂଘର ସ୍ବାସ୍ଥ୍ୟ କମିଶନର ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଇଟାଲୀରେ କରୋନା ଭାଇରସ୍‌ ଯୋଗୁ ୧୨ ଜଣ ପ୍ରାଣ ହରାଇଲେଣି। ବୁଧବାର ସୁଦ୍ଧା ୩୭୪ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଗ୍ରୀସରେ ଜଣେ ବ୍ୟକ୍ତି ଆକ୍ରାନ୍ତ ଅଛନ୍ତି। ଫ୍ରାନ୍ସରେ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜର୍ମାନୀରେ ୧୭, ସ୍ପେନ୍‌ରେ ୧୬, ସ୍ବିଡେନରେ ଜଣେ ଏହି ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
କରୋନା ଅଦ୍ୟାବଧି ୨,୭୧୫ ଲୋକଙ୍କ ପ୍ରାଣ ନେଲାଣି। ୭୮ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବେ ବି ସଂକ୍ରମିତ ଥିବା ଜଣାପଡ଼ିଛି। ଭାରତ, ପାକିସ୍ତାନ ଭଳି କେତେକ ପଡ଼ୋଶୀ ଦେଶ ମଧ୍ୟ ଏହାର ଶିକାର ହୋଇଛନ୍ତି। ପାକିସ୍ତାନରେ ବୁଧବାର ଏଥିରେ ୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଇରାନରେ ବୁଧବାର ୪ ଜଣ ପ୍ରାଣ ହରାଇଥିବାବେଳେ ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଛି। ସେଠାରେ ମୋଟ ୧୩୯ ବ୍ୟକ୍ତି କରୋନା ସଂକ୍ରମିତ ଥିବା କୁହାଯାଇଛି। ଲାଟିନ ଆମେରିକାର ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବ୍ରଜିଲ ଅଧିକାରୀ ପ୍ରକାଶ କରିଛନ୍ତି।

Share