Categories: ଜାତୀୟ

ୟୁପିରେ ସିଏଏ ବିରୋଧୀ ହିଂସା: ୩୦୦ ଜଣଙ୍କୁ ନୋଟିସ

ଲକ୍ଷ୍ନୌ, ୨୬ା୧୨: ସିଏଏ ବିରୋଧୀ ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ଉତ୍ତରପ୍ରଦେଶ(ୟୁପି)ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟହୋଇଛି। ଏହି କ୍ଷୟକ୍ଷତି ଭରଣା ଲାଗି ଉତ୍ତରପ୍ରଦେଶର ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟକରିଥିବା ଲୋକ ଏହାକୁ ଭରଣା କରିବେ ବୋଲି କହିଥିଲେ। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ପ୍ରଶାସନ ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ ପଠାଯିବା ସହ ସେମାନଙ୍କଠାରୁ କାହିଁକି କ୍ଷୟକ୍ଷତି ଭରଣା କରାଯିବ ନାହିଁ ବୋଲି କୁହାଯାଇଛି। ଲକ୍ଷ୍ନୌ ପ୍ରଶାସନ ପକ୍ଷରୁ ୧୦୦, ରାମପୁର ପ୍ରଶାସନ ପକ୍ଷରୁ ୨୮, ମିରଟ ପ୍ରଶାସନ ପକ୍ଷରୁ ୧୪୧, ସମ୍ଭଲ ପ୍ରଶାସନ ପକ୍ଷରୁ ୨୬, ଗୋରଖପୁର ପ୍ରଶାସନ ପକ୍ଷରୁ ୩୩ ଲୋକଙ୍କ ନିକଟକୁ ନୋଟିସ ପଠାଯାଇଛି। ଏଥିସହ ୨୬ ଲୋକଙ୍କୁ ଜେଲ ପଠାଯାଇଥିବାବେଳେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ହିଂସାକାଣ୍ଡରେ ସାମିଲ ଥିବା ଲୋକଙ୍କ ଫଟୋଚିତ୍ର ପୋଲିସ ମାରିଥିବାବେଳେ ଏମାନଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ରାମପୁର ପ୍ରଶାସନ ହିଂସାବେଳେ କ୍ଷତି ହୋଇଥିବା ସମ୍ପତ୍ତି ଭରଣା ଲାଗି ୨୫ ଲକ୍ଷ ଟଙ୍କା ପୈଠ କରିବାକୁ ନୋଟିସ ଜାରି କରିଛି। ୭ ଦିନ ମଧ୍ୟରେ ଏନେଇ ନିଜର ମତ ସ୍ପଷ୍ଟ ନ କଲେ କିମ୍ବା ଅର୍ଥ ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅଞ୍ଜନେୟ ସିଂ କହିଛନ୍ତି। ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟକରିବାର ଅଧିକାର କାହାର ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉ କି, ଗତ ଶନିବାର ସିଏଏକୁ ବିରୋଧ କରି ଉଗ୍ର ହିଂସାକାଣ୍ଡ ଜାରି ରହିଥିବାବେଳେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଦେହରେ ଗୁଳିମାଡ଼ କରାଯାଇଥିଲା। ଟେକାପଥର ମାଡ଼ରେ ଅନେକ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟ ଆହତ ହୋଇଥିଲେ। ପୋଲିସ ଗାଡ଼ି ସହ ଲୋକେ ରାସ୍ତାରେ ଥିବା ଅନେକ ବାଇକ୍‌ ଜାଳିଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସିଏଏ ବିରୋଧୀ ହିଂସା ଦେଖାଦେଇଥିବାବେଳେ ୧୭ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ନିଆଁ ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଥିଲା। ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ଷୋଭକାରୀମାନେ ନଷ୍ଟ କରିଥିଲେ।

Share