Categories: ଖେଳ

ୟୁଟର୍ନ ନେଲେ ରାୟୁଡୁ

ହାଇଦ୍ରାବାଦ,୩୦।୮: କ୍ରିକେଟରୁ ଅବସର ଘୋଷଣା କରିବାର ଦୁଇମାସ ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୟୁଟର୍ନ ନେଇଛନ୍ତି। ଅବସର ନିଷ୍ପତ୍ତି ଏକ ଭାବବିହ୍ବଳ ଥିଲା। ଏବେ ୩୩ ବର୍ଷୀୟ କ୍ରିକେଟର ଚୟନ ପାଇଁ ଉପଲବ୍ଧ ଥିବା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)କୁ ଇମେଲ କରିଛନ୍ତି। ରାୟୁଡୁ ଲେଖିଛନ୍ତି, ମୁଁ ଅବସରରୁ ଫେରିବାକୁ ଚାହୁଁଥିବା ଜଣାଉଛି। ଚେନ୍ନାଇ ସୁପର କିଙ୍ଗ୍ସ, ଭିଭିଏସ୍‌ ଲକ୍ଷ୍ମଣ ଓ ନୋଏଲ ଡାଭିଡ ମୋତେ କଠିନ ସମୟରେ ସାହାଯ୍ୟ କରିଥିଲେ। ମୋ ପାଖରେ ଆହୁରି କ୍ରିକେଟ ବାକି ଥିବା ସେମାନେ ବୁଝାଇଥିଲେ। ଚଳିତ ସିଜନରେ ମୁଁ ହାଇଦ୍ରାବାଦ୍‌ ଯୁବ ଖେଳାଳିଙ୍କ ସହ ଖେଳିବା ନେଇ ଆଶା କରୁଛି। ମୁଁ ଆସନ୍ତା ୧୦ ତାରିଖରୁ ହାଇଦ୍ରାବାଦ ଦଳ ପାଇଁ ଉପଲବ୍ଧ ହେବି ବୋଲି ସେ କହିଛନ୍ତି। ଏହାପରେ ଏଚ୍‌ସିଏ ପକ୍ଷରୁ ସିଓଏକୁ ଏକ ମେଲ୍‌ କରାଯାଇଛି। ଯେଉଁଥିରେ ରାୟୁଡୁ ଅବସରରୁ ଫେରି ଆସି ହାଇଦ୍ରାବାଦ୍‌ ପାଇଁ ସୀମିତ ଓଭର କ୍ରିକେଟ ଲାଗି ଉପଲବ୍ଧ ହୋଇଛନ୍ତି ଲେଖାରହିଛି। ଉଲ୍ଲେଖଥାଉ କି, ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ ମଝିରୁ ଅବସର ଘୋଷଣା କରିଥିଲେ। ବିଶ୍ୱକପ୍‌ ଲାଗି ଘୋଷିତ ୧୫ ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ରାୟୁଡୁଙ୍କୁ ରିଜର୍ଭ ଖେଳାଳିଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା। ହେଲେ ଶିଖର ଧାଓ୍ବନ ଓ ବିଜୟ ଶଙ୍କର ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ରାୟୁଡୁଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏଥିରେ ଭାବବିହ୍ବଳ ହୋଇ  ସେ ଅବସର ଘୋଷଣା କରିଥିଲେ।

Share