Categories: ଜାତୀୟ

ୟୁଏନ୍‌ଏସ୍‌ସିକୁ ଭାରତ ନିର୍ବାଚିତ

ନୂଆଦିଲ୍ଲୀ,୧୯ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହୋଇଛି। ଏଥିପାଇଁ ସମର୍ଥନ ଦେଇଥିବା ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଶାନ୍ତି, ନିରାପତ୍ତା ଓ ସମାନତା ବଢ଼ାଇବାରେ ଭାରତ ସବୁ ସଦସ୍ୟ ରାଷ୍ଟ୍ର ସହ ମିଶି କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ବୁଧବାର ଜାତିସଂଘ ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ୧୯୨ ଭୋଟରୁ ଭାରତକୁ ୧୮୪ ଭୋଟ ମିଳିଥିଲା। ଭାରତ ୨୦୨୧ ଜାନୁୟାରୀ ୧ରୁ ଦୁଇବର୍ଷ ପାଇଁ ୟୁଏନ୍‌ଏସ୍‌ସିର ଅସ୍ଥାୟୀ ସଦସ୍ୟ ରହିବ। କୋଭିଡ୍‌ ଓ ଏହା ପରବର୍ତ୍ତୀ ବିଶ୍ୱରେ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର ଆଣିବାରେ ଭାରତ ନେତୃତ୍ୱ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଷ୍ଟମ ଥର ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥିବାରୁ ଆଗାମୀ ଦିନରେ ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତର ଦାବିକୁ ଏହା ଆହୁରି ବଳିଷ୍ଠ କରିବ ବୋଲି କୁହାଯାଉଛି।
ଭାରତର ଏହି ସଫଳତା ପାଇଁ ଆମେରିକା ଅଭିନନ୍ଦନ ଜଣାଇବା ସହ ଅଧିକ ସ୍ଥିର, ନିରାପଦ ଓ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ନୂଆଦିଲ୍ଲୀ ସହ ଏକାଠି କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ଭାରତର ଏହି ଅଭୂତପୂର୍ବ ବିଜୟରେ ଖୁସିବ୍ୟକ୍ତ କରି ନୂଆଦିଲ୍ଲୀରେ ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟର ଉପରୋକ୍ତ ଟୁଇଟ୍‌ କରିଛନ୍ତି।

Share