ହ୍ବାଟ୍ସ ଆପ୍‌, ଫୋନରେ ଜଣାଇ ହେବ ଅଭିଯୋଗ

ଛତ୍ରପୁର,୨୩ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ଜନସାଧାରଣ ଏଣିକି ସେମାନଙ୍କ ଅଭିଯୋଗ ଜିଲା ପ୍ରଶାସନକୁ ଫୋନ୍‌ କରି ଜଣାଇପାରିବେ। ଏ ନେଇ ଗୁରୁବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ ନମ୍ବର ୯୪୩୭୫୬୩୮୦୦ ଜାରି କରାଯାଇଛି। ଏହି ନମ୍ବରରେ ହ୍ବାଟ୍ସ ଆପ୍‌ ଜରିଆରେ ମଧ୍ୟ ଲୋକେ ଅଭିଯୋଗ, ସମସ୍ୟା ଜଣାଇପାରିବେ। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଜିଲାପାଳ ଏକ ଅଡିଓ ଟେପ୍‌ ମଧ୍ୟ ଜାରି କରିଛନ୍ତି। ଯାହାକି ଏବେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି। ସେ ଆହୁରି କହିଛନ୍ତି, କୌଣସି ବିଭାଗର ଅଧିକାରୀ ଓ କର୍ମଚାରୀ ଠିକ୍‌ ସେବା ଦେଉନାହାନ୍ତି କିମ୍ବା ବିଳମ୍ବ କରୁଛନ୍ତି ସେ ସମ୍ପର୍କିତ ଅଭିଯୋଗ ଏହି ନମ୍ବରକୁ କଲ୍‌ କରି କିମ୍ବା ମେସେଜ୍‌ କରି ଜନସାଧାରଣ ଜଣାଇପାରିବେ ା ଉକ୍ତ ଅଭିଯୋଗ କିମ୍ବା ମେସେଜ୍‌କୁ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ ରଖାଯିବ ା ଜନସାଧାରଣଙ୍କ ଅଭିଯୋଗ କିମ୍ବା ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଏହାର ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ଯୋଗାଯୋଗ କରିବେ ା ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅଭିଯୋଗ କିମ୍ବା ସମସ୍ୟା ଜଣାଇଥିବା ଜନସାଧାରଣଙ୍କୁ ଅବଗତ କରାଯିବ ା ଏଥିପାଇଁ ଗୁରୁବାର ଏକ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍‌ ଗଠନ ହୋଇଛି ା ୨୪ ଘଣ୍ଟା ଏହା ଚାଲୁରହିବ। ବର୍ତ୍ତମାନ ୩ ସିଫ୍ଟରେ କର୍ମଚାରୀ ରହିବେ। କାର୍ଯ୍ୟ ବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ବିଭିନ୍ନ ସମୟରେ ଅଧିକାରୀ ଫୋନ୍‌ ଉଠାଉନାହାନ୍ତି। ଏହି ନମ୍ବର ଦ୍ୱାରା ଲୋକେ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଜଣାଇବାରେ ସୁବିଧା ହେବ ବୋଲି ଜିଲାପାଳ କହିଛନ୍ତି। ରେସପନ୍ସ ଭଲ ଆସିଲେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ ା ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଉପସ୍ଥିତ ଥିଲେ।