Categories: ବାଣିଜ୍ୟ

ହୋମ୍‌ ଲୋନ୍‌କୁ ରେପୋ ରେଟ୍‌ ସହ ଲିଙ୍କ କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮-୬: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ହୋମ୍‌ ଲୋନ୍‌କୁ ଏମ୍‌ସିଏଲ୍‌ଆର୍‌ରୁ ହଟାଇ ରେପୋ ରେଟ୍‌ ସହ ଲିଙ୍କ କରିବ ବୋଲି ଘୋଷଣା କରିଛି। ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଗ୍ରାହକ ବେଶ ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଛି। କାରଣ ବାର୍ଷିକ ୬ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀଙ୍କୁ ହିଁ ଏଣିକି ହୋମ ଲୋନ୍‌ ମିଳିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କ ହୋମ୍‌ ଲୋନ୍‌ ଉପରେ ଲାଗୁଥିବା ସୁଧ ହାରକୁ ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ(ଏମ୍‌ସିଏଲ୍‌ଆର୍‌) ଅନୁସାରେ ନିର୍ଦ୍ଧାରଣ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ ବୃଦ୍ଧି କରିବା ଦ୍ୱାରା ଏହା ପ୍ରଭାବିତ ହୋଇ ନ ଥାଏ। କାରଣ ଆର୍‌ବିଆଇ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କଲେ, ବ୍ୟାଙ୍କଗୁଡ଼ିକ ୫ରୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରୁଛନ୍ତି। ଏସ୍‌ବିଆଇ ଏମ୍‌ଡି(ରିଟେଲ ଆଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍‌) ପି.କେ.ଗୁପ୍ତା କହିଛନ୍ତି ଯେ, ନୂଆ ବ୍ୟବସ୍ଥା ଦ୍ୱାରା ବର୍ଷ ସାରା ଇଏମ୍‌ଆଇରେ ଅସ୍ଥିରତା ଦେଖାଦେବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ୍‌ ଲୋନ୍‌ ଉପରେ ୮.୪% ହିସାବରେ ସୁଧ ହାର ନିର୍ଦ୍ଧାରିତ ହେବ। ସମ୍ପତ୍ତିର ୮୦ ପ୍ରତିଶତ ପର୍ଯ୍ୟନ୍ତ ପରିମାଣ ଉପରେ ବ୍ୟାଙ୍କ ଋଣ ଦେଲେ ହିଁ ଏହି ସୁଧ ହାର ଲାଗୁ ହେବ। ତେବେ ଏହାଠାରୁ ଅଧିକ ଋଣ ଦିଆଯିବା ଉପରେ ଋଣଗ୍ରହୀତା ୨୦ ବିପିଏସ୍‌ ଅତିରିକ୍ତ ଦେବେ। ସେହିପରି ଲୋକଙ୍କୁ ସର୍ବାଧିକ ୩୩ ବର୍ଷ ପର୍ଯ୍ୟନ୍ତ ଅବଧି ପାଇଁ ଋଣ ମିଳିବ। ନିର୍ମାଣାଧୀନ ସମ୍ପତ୍ତି ଉପରେ ୨ ବର୍ଷର ଏକ୍ସଟେନ୍‌ଶନ ମିଳିବ।

Share