Categories: ଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଚକୋଲେଟ୍‌ ଦେଲା ଟ୍ରାଫିକ୍‌ ପୋଲିସ

ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି ଖାତିର ନାହିଁ। କାରଣ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଣିପୁରରେ। ଏଠାରେ କଡ଼ାକଡ଼ି ଟ୍ରାଫିକ୍‌ ନିୟମ ପାଳନର ପ୍ରଥମ ଦିନରେ କେତେଜଣ ବାଇକ୍‌ ଆରୋହୀ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇ ଥିଲା ସତ। ହେଲେ ସେମାନଙ୍କୁ ଦଣ୍ଡ ନ ଦେଇ ବରଂ ମିଠା ଓ ଚକୋଲେଟ୍‌ ଖାଇବାକୁ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ହୁଏତ ଏମିତି ଅପମାନ ଦେଲେ ନିୟମ ଭାଙ୍ଗୁଥିବା ଲୋକେ ସୁଧୁରିଯିବେ। ସୂଚନାଯୋଗ୍ୟ, ଏବେ ହେଲ୍‌ମେଟ୍‌ ନ ପିନ୍ଧିଲେ, ସିଟ୍‌ ବେଲ୍ଟ ନ ବାନ୍ଧିଲେ, ଆମ୍ବୁଲାନ୍ସକୁ ରାସ୍ତା ନ ଛାଡିଲେ ଅବା ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଲେ ଅର୍ଥଦଣ୍ଡ ସହ ଜେଲ୍‌ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ।

Share