ହିମାଚଳର ଏହି ୨ଟି ଜିଲାରେ ବଢ଼ିଲା ଲକ୍‌ଡାଉନ ଅବଧି

ସୋଲନ,୨୫।୫: ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ୨ଟି ଜିଲାରେ ଜୁନ ୩୦ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଦେଶରେ ଏବେ ଲକ୍‌ଡାଉନ ୪.୦ ଜାରି ରହିଥିବା ବେଳେ ଏହା ମେ ୩୧ରେ ଶେଷ ହେବ। ତେବେ ଆଗକୁ ଏହି ଲକ୍‌ଡାଉନ ବୃଦ୍ଧି କରାଯିବ କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅପରପକ୍ଷେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ହିମାଚଳ ପ୍ରଦେଶ ସରକାର ଜୁନ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ୨ଟି ଜିଲାର ଜିଲା ମାଜିଷ୍ଟ୍ରେଟ ହମିରପୁର ଓ ସୋଲନରେ ଏହି ଲକ୍‌ଡାଉନକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୨ଟି ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ତେବେ ଏହି ଲକ୍‌ଡାଉନ ସମୟରେ ପୂର୍ବପରି କିଛି ନିୟମ ଓ କଟକଣା ଉପରେ କୋହଳ କରାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କଟକଣା କୋହଳ ରହିବ। ଏଥିସହ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ଗତିବିଧି ଉପରେ ପ୍ରତିବନ୍ଧକ ରହିବ। ଏହି ନିର୍ଦ୍ଦେଶ ଜୁନ ୩୦ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ବୋଲି ଜିଲା ମାଜିଷ୍ଟ୍ରେଟ କହିଛନ୍ତି।

Share