ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ : ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ

ହିଞ୍ଜିଳିକାଟୁ,୧୦।୧୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦିଲୀପ କୁମାର ମହାନ୍ତି ରବିବାର ହିିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀଙ୍କୁ ବହୁ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ପୂର୍ବାହ୍ନରେ ସଚିବ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ପରିସରରେ ପହଞ୍ଚିଥିଲେ। ସେଠାରେ ତହସିଲଦାର ଗୋପୀନାଥ କୁଅଁର, ବିଡିଓ ପ୍ରସନ୍ନ କୁମାର ପାତ୍ର, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ବିଇଓ ବସନ୍ତ କୁମାର ପଣ୍ଡା, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସ୍ବାଗତ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ଜମି ବୁଲି ଦେଖିବା ସହ ଉକ୍ତ ଜମିରେ ଆବଶ୍ୟକ କାର୍ଯ୍ୟ କରି କେନ୍ଦ୍ରୀୟ ଲୋକ ନିର୍ମାଣ ସଂସ୍ଥା (ସିପିଡ଼ବ୍ଲ୍ୟୁୁଡ଼ି)ଙ୍କୁ ତୁରନ୍ତ ସ୍ଥାୟୀ କୋଠା ନିର୍ମାଣ ପାଇଁ ପ୍ରଦାନ କରିବାକୁ ଉପସ୍ଥିତ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବ ଶେରଗଡ଼ ବ୍ଲକ ଗସ୍ତ କରି ଅପରାହ୍ନରେ ହିିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ଓ ପ୍ରସ୍ତାବ ନେଇ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ