ହିଞ୍ଜିଳିକାଟୁରେ ଧାନମଣ୍ଡି ଉଦ୍‌ଘାଟନ କଲେ ଜିଲାପାଳ

ହିଞ୍ଜିଳିକାଟୁ,୨୧।୧୨(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ପାଇଁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶନିବାରଠାରୁ ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପୂର୍ବାହ୍ନରେ ସମରଝୋଳ ପ୍ରାଥମିକ ସମବାୟ ସମିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧାନମଣ୍ଡି ଉଦ୍‌ଘାଟନ କରିଥିଲେ। ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାର, ତହସିଲଦାର ଗୋପୀନାଥ କୁଅଁର, ବିଡିଓ ପ୍ରସନ୍ନ କୁମାର ପାତ୍ର, ଯୋଗାଣ ନିରୀକ୍ଷକ ପୂର୍ଣ୍ଣଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ବ୍ଲକ ଓ ପୌରାଞ୍ଚଳର ୧୯ ସମବାୟ ସମିତି, ଗୋଟିଏ ପାଣି ପଞ୍ଚାୟତ ଓ ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ବ୍ଲକ୍‌ରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏଥି ନିମନ୍ତେ ସମିତି ସମ୍ପାଦକ, ସମିତି କର୍ମଚାରୀ ଓ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ତାଲିମ ପ୍ରଦାନ କରାଯିବା ସହ ଧାନ ସଂଗ୍ରହ ପାଇଁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଛି। ବ୍ଲକ ଓ ପୌରାଞ୍ଚଳର ୩୧ଜଣ ମିଲର ଚାଷୀଙ୍କ ଧାନ ଉଠାଇବାକୁ ରେଜିଷ୍ଟ୍ରି କରିଛନ୍ତି। ଚାଷୀ ଯେପରି ସଠିକ୍‌ ମୂଲ୍ୟ ପାଇପାରିବେ ଓ ଖରିଫ ଧାନ ସଂଗ୍ରହ ସୁରୁଖୁରୁରେ ସମ୍ପାଦନ ନିମନ୍ତେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।