Categories: ଜାତୀୟ

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର କେବଳ ଆତଙ୍କବାଦୀ ନଭୀଦ ମୁସ୍ତାକଙ୍କୁ ସ୍ଥାନାନ୍ତର ଓ ବର୍ଷସାରା ସହଯୋଗ କରିବା ପାଇଁ ଟଙ୍କା ନେଉଥିଲେ। ଏଥିପାଇଁ ହିଜବୁଲ ସହ ଦାବିନ୍ଦରଙ୍କ ପାଖାପାଖି ୨୦ରୁ ୩୦ ଲକ୍ଷ ଟଙ୍କା ବୁଝାମଣା ହୋଇଥିଲା। କିନ୍ତୁ ସେ ସମସ୍ତ ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏନେଇ ତଦନ୍ତକାରୀ ସଂସ୍ଥାର କର୍ମଚାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆତଙ୍କବାଦୀ ନଭୀଦଙ୍କ ସହ ଦାବିନ୍ଦରଙ୍କୁ ଜାନୁୟାରୀ ୧୧ରେ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଥିଲା। ଗିରଫ ସମୟରେ ଦାବିନ୍ଦର ନଭୀଦଙ୍କୁ ଜମ୍ମୁକୁ ନେଇକି ଯାଉଥିଲେ। ସେଠାରେ ନାଭିଦଙ୍କ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ରହିଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପାକିସ୍ତାନ ଯିବା ପାଇଁ ସେ କେଉଁ ରାସ୍ତା ଜରିଆରେ ଯାଉଥିଲେ ସେନେଇ ତଦନ୍ତ ଚାଲିଛି। କିନ୍ତୁ ଦାବିନ୍ଦର ତଦନ୍ତରେ ସହଯୋଗ କରୁ ନ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Share