Categories: ଜାତୀୟ

ହିଂସାରେ ମୃତ ମୁସଲମାନ ଯୁବକଙ୍କ ପରିବାରକୁ ଭେଟିଲେନି ମନ୍ତ୍ରୀ

ବିଜ୍‌ନୋର,୨୭-୧୨(ପି.ଟି.):ଉତ୍ତରପ୍ରଦେଶର ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କପିଲଦେବ ଅଗ୍ରଓ୍ବାଲ ଗୁରୁବାର ହିଂସା ପ୍ରଭାବିତ ବିଜ୍‌ନୋର ଜିଲା ଗସ୍ତରେ ଯାଇଥିଲେ। ଗତ ଶୁକ୍ରବାର ସିଏଏ ବିରୋଧୀ ବିକ୍ଷୋଭ ବେଳେ ହିଂସାରେ ପ୍ରାଣ ହରାଇଥିବା ୨ ମୁସଲମାନ ଯୁବକଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ମନା କରିଦେଇ ମନ୍ତ୍ରୀ ବିବାଦ ମଧ୍ୟକୁ ଆସିଛନ୍ତି। ହିଂସାରେ ଆହତ ନେହତୌରର ଓମ୍‌ରାଜ ସାଇନିଙ୍କୁ ଭେଟିବା ଲାଗି ମନ୍ତ୍ରୀ ତାଙ୍କ ଘରକୁ ଯାଇଥିବାବେଳେ ସେହି ଅଞ୍ଚଳର ୨ ମୃତକଙ୍କ ପରିବାରକୁ ନ ଭେଟିବାକୁ ନେଇ ଭାଜପାର ସବ୍‌କା ସାଥ ସବ୍‌କା ବିକାଶ ସ୍ଲୋଗାନ ଉପରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ହିଂସାକାଣ୍ଡ ଘଟାଇ ସମାଜରେ ନିଆଁ ଲଗାଉଛନ୍ତି, ସେମାନେ କିପରି ସାମାଜିକ। ଉପଦ୍ରବୀମାନଙ୍କ ଘରକୁ ସେ କାହିଁକି ଯିବେ ବୋଲି ଅଗ୍ରଓ୍ବାଲ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜ୍‌ନୋର ଯାଇ ଦୁଇ ମୃତକଙ୍କ ପରିବାରକୁ ଭେଟିଥିଲେ।

Share