Posted inଫୁରସତ

ହାର୍‌ ମାନିଛି ବୟସ: ପ୍ରତିବନ୍ଧକ ସାଜିପାରିନାହିଁ ବାର୍ଦ୍ଧକ୍ୟ, ସଫଳତା ପାଇ ସାଜିଛନ୍ତି ଉଦାହରଣ

ଘର ସଂସାର ଜଞ୍ଜାଳ କରୁ କରୁ ଅଧିକାଂଶ ନାରୀଙ୍କ ଜୀବନର ବହୁ ମୂଲ୍ୟବାନ ବର୍ଷସବୁ ବିତିଯାଏ। ଘର ପାଲଟିଯାଏ ତାଙ୍କ ପାଇଁ ଦୁନିଆ। ତାରି ଭିତରେ ରହି ଜଞ୍ଜାଳରେ ପେଷି ହୋଇ କେତେବେଳେ ଯେ ବୟସ ଗଡ଼ି ବାର୍ଦ୍ଧକ୍ୟ ଚାଲିଆସେ ଜଣାପଡ଼େନା। ବାର୍ଦ୍ଧକ୍ୟ ପାଦ ଦେଉ ଦେଉ ଅନେକେ ଭାବନ୍ତି ଜୀବନ ସରିଗଲା। ହେଲେ କେତେଜଣ ମହିଳା ସେହି ବୃଦ୍ଧାବସ୍ଥାରୁ ହିଁ ନୂଆ ଏକ ଜୀବନ ଆରମ୍ଭ କରିବାକୁ ପ୍ରୟାସ କରିଛନ୍ତି। ଜଞ୍ଜାଳର ଚାପରେ ପେଷି ହୋଇଯାଇଥିବା ସ୍ବପ୍ନକୁ ସାକାର କରିବା ପାଇଁ ପାଦ ଆଗକୁ ବଢ଼ାଇଛନ୍ତି। ଆଉ ସଫଳ ହୋଇ ପ୍ରମାଣିତ କରିଦେଇଛନ୍ତି ଯେ, ବାର୍ଦ୍ଧକ୍ୟ କେବେ ସଫଳତା ପଥରେ ପ୍ରତିବନ୍ଧକ ସାଜିପାରେନା…

ଆଧୁନିକ ଉପାୟରେ କୃଷିକରି ଉଦାହରଣ ସାଜିଲେ କ୍ଷିତିସୂତା : ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ସ୍ଥିତ ଖମ୍ବେଶ୍ୱରୀପାଲି ଗ୍ରାମର କ୍ଷିତିସୂତା ମିଶ୍ର। ବୟସ ୮୨। ସ୍ବାମୀ ସତ୍ୟବାଦୀ ମିଶ୍ର ପେସାରେ ଜଣେ ଜ୍ୟୋତିଷ ଥିଲେ। ତାଙ୍କ ମୃତ୍ୟୁ ପରେ କ୍ଷିତିସୂତା ଭାଙ୍ଗି ନ ପଡି ପରିବାରର ବୋଝ ମୁଣ୍ଡାଇଥିଲେ। ୭ ପୁଅରେ ତାଙ୍କର ଗୋଟିଏ ଝିଅ । ପୈତୃକ ଜମି ଥିଲା ମାତ୍ର ୪ ଏକର। ସେଥିରୁ ଯାହା ଅମଳ ମିଳୁଥିଲା ପରିବାର ଭରଣ ପୋଷଣ କରିବା କଷ୍ଟ ହେଉଥିଲା। ତଥାପି ଅନେକ କଷ୍ଟକରି ପୁଅମାନଙ୍କୁ ବାହା କରି ଘରକୁ ବୋହୁ ଆଣିଲେ। ଝିଅ ବି ବାହା କଲେ। ଧୀରେ ଧୀରେ ପରିବାର ବଢିଲା, ଆଉ ଖର୍ଚ୍ଚ ମଧ୍ୟ। ତାଙ୍କର ଯୌଥ ପରିବାର। ସଦସ୍ୟଙ୍କ ସଂଖ୍ୟା ୪୫। ସେଥିପାଇଁ ଘର ପଛପଟ ଜମିରୁ ଅଧିକ ଫସଲ ଫଳେଇବାକୁ ଅଣ୍ଟା ଭିଡିଲେ। ବ୍ରାହ୍ମଣ ପରିବାରର ହେଲେ ମଧ୍ୟ ଚାଷକୁ ଆପଣେଇଲେ। କୃଷି ବିଭାଗର କର୍ମଚାରୀଙ୍କ ସହ ସମ୍ପର୍କ ରଖିଲେ। ପୁଅମାନେ ମଧ୍ୟ ମା’ଙ୍କୁ ସହଯୋଗ କଲେ। ଉନ୍ନତ କୃଷି ଯନ୍ତ୍ରପାତି ହିସାବରେ ରିହାତିର ସୁଯୋଗ ନେଇ ଟ୍ରାକ୍ଟର, ପାଓ୍ବାର ଟିଲର, ସମସ୍ତ ପ୍ରକାର ଲଙ୍ଗଳ ଇତ୍ୟାଦି କିଣିନେଇ ଅଧିକ ଅମଳକ୍ଷମରୁ ସଙ୍କର କିସମ ଧାନ ଚାଷକଲେ। ବଡ଼ ପରିବାରର ଆବଶ୍ୟକତା ଦୃଷ୍ଟିରୁ ଖଣ୍ଡେ ଖଣ୍ଡେ ଜମି ବି କିଣିଲେ। ସକାଳୁ ଉଠି ମୂଲିଆମାନଙ୍କୁ ଜଳଖିଆ ଦେଇ ତାଙ୍କ ସହିତ ଜମିକୁ ବାହାରିଯା’ନ୍ତି। ବିଲ ହୁଡ଼ା ଗଛଛାଇରେ ବସି ଛତାଧରି ଏପଟ ସେପଟ ହୋଇ ଆଜି କି କାମ ହେବ ବତାନ୍ତି। ଆଉ ସେମାନଙ୍କ ପାଇଁ ବିଲ ମୁଣ୍ଡକୁ ଖାଇବାକୁ ପଠାଇ ଘରକୁ ଆସିଥାନ୍ତି। ଇଂରାଜି ପାଠ ନ ପଢ଼ିଥିଲେ ମଧ୍ୟ କେଉଁ ଧାନ ହେବ, କି ସାର ପଡ଼ିବ, କେତେ ପଇସା ଖର୍ଚ୍ଚ ହେଲା ସବୁ ନିଜେ ଲେଖନ୍ତି। ନ ହେଲେ ନାତୁଣୀ ନାତିଙ୍କ ହାତରେ ଲେଖାନ୍ତି। ଏମିତି ମାଟି ସହ ମାଟି ହୋଇ ସ୍ବାମୀଙ୍କ ମୃତ୍ୟୁର ଏତେବର୍ଷ ଯେ କେମିତି ବିତି ଗଲାଣି ପଛକୁ ଫେରି ଚାହିଁ ନାହାନ୍ତି । ଶ୍ରୀମତୀ ମିଶ୍ର ଏବେ ୨୦.୫୬ ଏକର ଜମିର ଅଧିକାରିଣୀ। ଗତ ୨୦୧୨-୧୩ ବର୍ଷରେ ସେ କରିଥିବା ସଙ୍କର କିସମ ଧାନ ଚାଷକରି ହେକ୍ଟର ପ୍ରତି ୧୦୭.୨୦ କୁଇଣ୍ଟାଲ କଞ୍ଚା/ ୯୩.୨୬ କୁଇଣ୍ଟାଲ ଶୁଖିଲା ଧାନ ଅମଳ କରି ରେକର୍ଡ ସୃଷ୍ଟି କରିଥିଲେ। ସେ ବର୍ଷ ସୋନପୁର ବ୍ଲକର ହାରାହାରି ଉତ୍ପାଦନ ହେକ୍ଟର ପ୍ରତି ୫୯.୨୦ କୁଇଣ୍ଟାଲ ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲାର ହାରାହାରି ଉତ୍ପାଦନ ୬୩.୯୪ କୁଇଣ୍ଟାଲ ଥିଲା। ଧାନ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କୁ ୨୦୧୨-୧୩ ବର୍ଷ ପାଇଁ କୃଷି କର୍ମଣ ପୁରସ୍କାର ଲାଗି ତାଙ୍କୁ ମନୋନିତ କରାଯାଇଥିଲା। ଆଉ ୨୦୧୪ ମସିହା ଫେବୃୟାରୀ ମାସ ୧୦ ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ମାନପତ୍ର, ଫଳକ ଓ ୧ ଲକ୍ଷ ଟଙ୍କା ପୁରସ୍କାର ଗ୍ରହଣ କରି ରାଜ୍ୟକୁ ଗୌରବାନ୍ବିତ କରିଥିଲେ। ଧାନ ଫସଲ ବ୍ୟତୀତ ଅନ୍ୟାନ୍ୟ ଅଣ ଧାନ ଯଥା ଡାଲି, ତୈଳବୀଜ, ପନିପରିବା ପ୍ରଭୃତି ଚାଷକରି ସେ କୃଷିକୁ ଅର୍ଥକରୀ କରି ପାରିଛନ୍ତି। କ୍ଷିତିସୂତା କେବଳ ଜଣେ ସଫଳ ମହିଳା କୃଷକ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ନାହାନ୍ତି। ସେ ଜଣେ ସୁଗୃହିଣୀ ମଧ୍ୟ। ନିଜର ଯୌଥ ପରିବାରକୁ ସେ ଗୋଟିଏ ସୂତାରେ ବାନ୍ଧି ରଖିଛନ୍ତି। ଏବେ ତାଙ୍କୁ ୮୨ ବର୍ଷ ବୟସ। ଜମିକୁ ଯାଇ ନିଜେ ଚାଷ କରିପାରୁ ନାହାନ୍ତି। ହେଲେ ବିଲ ହୁଡ଼ାରେ ବସି ବ୍ଲକ୍‌ର କୃଷି ଅଧିକାରୀ ଓ ପଞ୍ଚାୟତରେ ଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କଠାରୁ ଶିଖିଥିବା ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଅଧିକ ଅମଳକ୍ଷମ ତଥା ସଙ୍କର କିସମର କି କି ଧାନ କେଉଁ କେଉଁ ଜମିରେ ଚାଷ କରାଯିବ, କେଉଁଥିରେ କେତେବେଳେ କି ସାର ପ୍ରୟୋଗ କରାଯିବ, କେତେବେଳେ କେଉଁ ରୋଗପୋକ ଲାଗିଲେ ତା’ର କି ପ୍ରକାର ନିରାକରଣ କରାଯିବ ଆଦିର ସୂଚନା ପୁଅ ଭଳି ସ୍ନେହ କରୁଥିବା ଗାଁର କୃଷକମାନଙ୍କୁ ବତାଇଥାନ୍ତି।

ଷାଠିଏ ବର୍ଷରେ ଧରିଲେ କଲମ: ଶକୁନ୍ତଳା ରଥ । ଖୋର୍ଦ୍ଧା ଜିଲା ଜଟଣୀ ଗାନ୍ଧୀନଗର ଅଞ୍ଚଳରେ ତାଙ୍କ ଘର ା ୧୯୪୯ ମସିହା ମେ ୧୦ ତାରିଖରେ ତାଙ୍କ ଜନ୍ମ । ପିଲାବେଳୁ ଲେଖାଲେଖିରେ ତାଙ୍କର ବହୁ ରୁଚି ରହିଥିଲା ା ସ୍କୁଲରେ ପଢ଼ିବାବେଳେ କେତେଜଣ ଶିକ୍ଷକଙ୍କ ପ୍ରେରଣାରେ କେତୋଟି କବିତା ଲେଖିଥିଲେ। ସେତେବେଳେ ଏହାକୁ ପଢ଼ି ଘର ଓ ବାହାର ଲୋକେ ଖୁସିହେବା ସହ ଉତ୍ସାହିତ କରିଥିଲେ । କବିତା ଲେଖା ସହ ପଢ଼ିବାକୁ ବି ସେ ଭଲ ପାଉଥିଲେ ା ହେଲେ ସଂସାର ଜଞ୍ଜାଳ ଭିତରେ କ୍ରମେ ପାଠପଢ଼ାରେ ତାଙ୍କର ଡୋରି ବନ୍ଧା ହୋଇଥିଲା। ହେଲେ ସାହିତ୍ୟ ପ୍ରତି ଥିବା ଦୁର୍ବଳତା ଦୀର୍ଘ ୪୦ବର୍ଷ ପରେ ତଥା ବୟସର ସାୟାହ୍ନରେ ପୁଣିଥରେ ଚେଇଁ ଉଠିଥିଲା। ଆଉ ୬୦ ବର୍ଷ ବୟସରେ ସେ କଲମ ଓ କାଗଜକୁ ପୁଣିଥରେ ଧରିଥିଲେ । ତାଙ୍କ କଲମରୁ ଝରିପଡ଼ିଥିଲା ଅନେକ ବାସ୍ତବଧର୍ମୀ ଲେଖା ା ତାଙ୍କ ଲେଖାରେ କଳ୍ପନା ଅପେକ୍ଷା ବାସ୍ତବତା ଏବଂ ଭାବ, ଅନୁଭବ ଓ ଅଭିବ୍ୟକ୍ତି ଅଧିକ ଭରି ରହିଥାଏ। ୨୦୧୨ ରୁ ୨୦୧୯ ମଧ୍ୟରେ ଗଦ୍ୟ, ପଦ୍ୟ ହୋଇ ତାଙ୍କର ୪ଟି ପୁସ୍ତକ ସଂକଳନ ପ୍ରକାଶିତ ହୋଇଛି । ତାହା ହେଲା- ‘ସଂପର୍କ’, ‘ଅଶ୍ରୁ ଅଭିସାର’, ‘ଅଭିପ୍‌ସାର ସୂର୍ଯ୍ୟ’, ‘ଜ୍ୟୋତିସ୍ବରୂପା’ । ଏହାଛଡ଼ା ତାଙ୍କର ଅନେକ କବିତା, ଗଳ୍ପ, ପ୍ରବନ୍ଧ, ଅନୁଭୂତିର କଥା ଆଦି ପ୍ରକାଶନ ଅପେକ୍ଷାରେ ରହିଛି। ବନ୍ଧୁ ପ୍ରିୟଜନଙ୍କ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ମଧ୍ୟ ସେ ଲେଖୁଛନ୍ତି । ଶକୁନ୍ତଳା କହନ୍ତି, ‘ବାର୍ଦ୍ଧକ୍ୟରେ ଲେଖିବା ପାଇଁ ବଳ ପାଉନାହିଁ । ହାତ ଥରୁଛି । ବେଳେ ବେଳେ କଲମ ଅଟକି ଯାଉଛି । ହେଲେ ମନରୁ ସାହସ କମିନି ା ତେଣୁ ଜୀବନର ଶେଷ ପର୍ଯ୍ୟନ୍ତ ଲେଖିଚାଲିବି ।’

ଅ, ଆ ରୁ ହେଲେ କବୟିତ୍ରୀ: ଜଗତ୍‌ସିଂହ ପୁର ଜିଲା, ପାରାଦୀପ ପୌରାଞ୍ଚଳ, ୧୪ ନଂ. ଓ୍ବାର୍ଡସ୍ଥ ନୂଆବଜାର ଟ୍ରଲିପଡ଼ା ବସ୍ତିର ତିଳୋତ୍ତମା ପାତ୍ର। ପିଲାଦିନେ ସେ ପଢିବାର ସୁଯୋଗ ପାଇ ନ ଥିଲେ। ସମୟ କ୍ରମେ ସେ ବିବାହ କଲେ। ସ୍ବାମୀ ଦିନ ମଜୁରିଆ। ଚାରୋଟି ସନ୍ତାନର ମା’ ହେଲେ। ପିଲାମାନେ ବଡ଼ ହୋଇ ପାଠ ପଢ଼ିବାକୁ ଗଲେ। ସେମାନଙ୍କ ପଢ଼ା ଦେଖି ତାଙ୍କ ମନରେ ବି ପଢ଼ିବାର ଆଗ୍ରହ ଚେଇଁ ଉଠିଥିଲା। ହେଲେ ଘର ସଂସାରର ଜଞ୍ଜାଳରେ ଦିନ ପରେ ଦିନ ବିତି ଚାଲିଲା। ବୟସ ଗଡ଼ି ଚାଲିଲା। ତେବେ ଦିନେ ସେ ରହୁଥିବା ଟ୍ରଲିପଡ଼ା ବସ୍ତିକୁ ଉଚ୍ଛେଦ ପାଇଁ ବନ୍ଦର କର୍ତ୍ତୃପକ୍ଷ ଯାଇଥିଲେ। ଏହାକୁ ବିରୋଧ କରି ବସ୍ତି ମହିଳାମାନେ ସେତେବେଳର ବନ୍ଦର ଅଧ୍ୟକ୍ଷ ପ୍ରେମାନନ୍ଦ ତ୍ରିପାଠୀଙ୍କୁ ଅନୁରୋଧ କଲେ। ଅଧ୍ୟକ୍ଷ ତ୍ରିପାଠୀ ପ୍ରସ୍ତାବ ଦେଲେ ବସ୍ତି ମହିଳାମାନେ ପାରାଦୀପ ବନ୍ଦର ସାକ୍ଷରତା ସମିତି ଦ୍ୱାରା ପ୍ରଦତ୍ତ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମରେ ସାମିଲ ହେଲେ ବସ୍ତି ରହିବ। ମହିଳାମାନେ ରାଜି ହୋଇ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗଦେଲେ। ତିଳୋତ୍ତମାଙ୍କ ସହ ୩୦ ଜଣ ଏଥିରେ ପଢ଼ିଲେ। ସମୟକ୍ରମେ ଅନ୍ୟ ମହିଳା ସଂସାର ଜଞ୍ଜାଳରେ ପଢ଼ାଠୁ ଦୂରେଇ ଯାଇଥିଲେ। ହେଲେ ତିଳୋତ୍ତମା ପଢ଼ା ଜାରି ରଖିଲେ। ଓଡ଼ିଆ ଜାଣିବା ପରେ ଇଂରାଜି, ବଙ୍ଗଳା ଓ ହିନ୍ଦୀ ବି ଶିଖିଲେ। ଆଉ ପ୍ରଥମେ ସେ ଜଗନ୍ନାଥଙ୍କ ଜଣାଣକୁ ଛାନ୍ଦ ଆକାରରେ ଲେଖିଲେ। ପରେ ଅନ୍ୟ ପ୍ରସଙ୍ଗକୁ ନେଇ ଗପ, କବିତା ଲେଖିଲେ। ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ମାସିକ ପତ୍ରିକା ‘ସାକ୍ଷର ଦୀପ’ରେ ତାଙ୍କର ଲେଖା ବାହାରିଲା। ପରେ ତାଙ୍କର ଏକ କବିତା ସଂକଳନ ‘ପ୍ରଥମଗୀତ’ ପ୍ରକାଶ ପାଇଲା। ଆହୁରି ମଧ୍ୟ ଅନେକ ଲେଖା ତାଙ୍କର ଅଛି। ହେଲେ ଅର୍ଥାଭାବରୁ ପ୍ରକାଶ ପାଇ ପାରୁନି। ଏହାବାଦ୍‌ ସେ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ବସ୍ତି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦେଉଛନ୍ତି। ସେ ବେଶ୍‌ ପରୋପକାରୀ ମଧ୍ୟ। ଦିନେ ସେ ଜଣେ ଗର୍ଭବତୀ ମହିଳାଙ୍କୁ ବର୍ଷା ସମୟରେ ଡାକ୍ତରଖାନା ନେଇ ନ ହେବାରୁ ଘରେ ପ୍ରସବ କରାଇଥିଲେ। ଆଉ ପରେ ଡାକ୍ତରଖାନା ନେଲେ। ଏଥିରେ ତତ୍କାଳୀନ ସରକାରୀ ଡାକ୍ତର ତାଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି ଦେଇଥିଲେ। ହେଲେ ବିଧିବଦ୍ଧଭାବେ ଚାକିରି ପାଇଁ ତାଙ୍କୁ ଦଶମ ପାସ୍‌ ହେବା ଜରୁରୀ। ସେଥିପାଇଁ ସେ ଏବେ କୁଜଙ୍ଗ ବନବିହାରୀ ହାଇସ୍କୁଲରେ ନାମ ଲେଖାଇଛନ୍ତି। ଆଉ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ସେ ପ୍ରସ୍ତୁତ ହେଉଛନ୍ତି। ଘର କାମ, ଆଶାକର୍ମୀର ଦାୟିତ୍ୱ, ସ୍ବୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଦାୟିତ୍ୱ ଆଦିକୁ ସେ ବେଶ୍‌ ସୁଚାରୁରୂପେ ତୁଲାଇବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢୁଛନ୍ତି। ତାଙ୍କର ଏହି ଦୃଢ଼ ମନୋବଳ ଏବେ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛି।

ମହମବତୀ ତିଆରି ଶିଖାଉଛନ୍ତି ଶଶୀ : ରାସ୍ତା ପାର୍ଶ୍ୱରେ ନିଃସହାୟ ଅବସ୍ଥାରେ ପଡ଼ିଥିଲେ ଶଶୀ ସାଓ ନାମ୍ନୀ ବୃଦ୍ଧା। ଜଟଣୀରେ ଥିବା ସ୍ବେଚ୍ଛାସେବୀ ସଂଗଠନ ଆଶାକିରଣ ହୋମ୍‌ର ସ୍ବେଚ୍ଛାସେବୀଙ୍କ ଦୃଷ୍ଟିରେ ଏହା ପଡ଼ିଥିଲା ା ଶଶୀଙ୍କୁ ସ୍ବେଚ୍ଛାସେବୀମାନେ ସେଠାରୁ ଆଣି ଆଶାକିରଣର ବୃଦ୍ଧାଶ୍ରମରେ ରଖିଥିଲେ । ତାଙ୍କର ସେବା ଶୁଶ୍ରୂଷା କରିବା ସହ ଚିକିତ୍ସା ବ୍ୟବସ୍ଥା କରି ସମ୍ପୂର୍ଣ୍ଣ ସୁସ୍ଥ କରିଥିଲେ । ଏହା ୧୩ ବର୍ଷ ତଳର କଥା । ବର୍ତ୍ତମାନ ଶଶୀଙ୍କୁ ୭୩ ବର୍ଷ। ଏହି ସ୍ବେଚ୍ଛାସେବୀ ସଂଗଠନରେ ରହୁଥିବା ଏପରି ବୃଦ୍ଧାଙ୍କୁ ଚଳଚଞ୍ଚଳ ରଖିବା ସହ ନକାରାମତ୍କ ଚିନ୍ତା ତାଙ୍କ ମଧ୍ୟରେ ନ ପଶିବ ତାକୁ ଦୃଷ୍ଟିରେ ରଖି କେତେକ ହାଲୁକା କାର୍ଯ୍ୟ କରିବାକୁ ଏମାନଙ୍କୁ ଦିଆଯାଇଥାଏ। ତା ମଧ୍ୟରେ ରହିଛି ମହମବତି ପ୍ରସ୍ତୁତ କରିବା। ଶଶୀ ମହମବତି ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଦୁଇବର୍ଷ ହେବ ସେ ଏହି କାମ କରୁଛନ୍ତି। ଏଥିରେ ବେଶ୍‌ ପାରଙ୍ଗମ ବି ହୋଇପାରିଛନ୍ତି। ଫଳରେ ସେ ଏବେ ବୃଦ୍ଧାଶ୍ରମର ଅନ୍ୟ ବୃଦ୍ଧାମାନଙ୍କୁ ମହମବତି ତିଆରି ଶିଖାଉଛନ୍ତି। ସେହି ମହମବତିକୁ ବିକ୍ରି କରାଯାଏ। ଆଉ ମହମବତି ପ୍ୟାକେଟ୍‌ ପିଛା ଶଶୀ ଏବେ ୧୫ରୁ ୨୦ଟଙ୍କା ପାଉଛନ୍ତି । ଯାହାକୁ ସଞ୍ଚୟ କରି ସେ ନିଜ ପାଇଁ ଶାଢ଼ି, ସାବୁନ ତଥା ମନପସନ୍ଦର ସାମଗ୍ରୀ କିଣୁଛନ୍ତି ା କିଛି ଟଙ୍କା ସେ ସଞ୍ଚୟ ବି କରି ରଖିଛନ୍ତି । ଶଶୀ ଆଉ ଦୁଇ ପାଦ ଆଗକୁ ଯାଇ କାଗଜବ୍ୟାଗ କରିବାକୁ ଚାହୁଁଛନ୍ତି। ତେଣୁ କାଗଜ ବ୍ୟାଗ୍‌ ତିଆରି ମେଶିନ୍‌ ଆଣିବାକୁ ସେ ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟ ହୋଚିମିନ୍‌ ଶାସ୍ତ୍ରୀଙ୍କୁ ଅନେକଥର କହିଛନ୍ତି । ଶଶୀ କହନ୍ତି, ‘ବୃଦ୍ଧାବସ୍ଥାରେ କେବଳ ବସି ନ ରହି ଏପରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଲେ ମନ, ଶରୀର ସୁସ୍ଥ ରହିବା ସହ ଜଣେ ରୋଜଗାରକ୍ଷମ ବି ହୋଇପାରିବେ ।’

୭୦ରେ ଶିଖିଲେ ଚିତ୍ରକଳା, ପ୍ରଦର୍ଶିତ ହେଲା ବିଦେଶରେ: ମଧ୍ୟପ୍ରଦେଶ ଉମରିଆ ଜିଲାସ୍ଥ ଲୋର୍‌ହା ଗାଁର ଆଦିବାସୀ ମହିଳା ଯୁଧେୟା ବାଈ ବାଇଗା। ବୟସ ୮୦ରୁ ଊର୍ଦ୍ଧ୍ୱ। କୃଷି ଓ ଜଙ୍ଗଲ ଉପରେ ନିର୍ଭର କରି ତାଙ୍କ ପରିବାର ଚଳେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। କିଛିବର୍ଷ ପୂର୍ବେ ସେ ସ୍ବାମୀଙ୍କୁ ହରାଇଥିଲେ। ଏହା ପରେ ପରିବାର ଚଳାଇବାର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ବହୁ କଷ୍ଟକରି ପରିବାର ଚଳାଇଲେ। ଝିଅକୁ ବାହା କରାଇଲେ। ତେବେ ୭୦ ବର୍ଷ ବୟସରେ ତାଙ୍କ ଜୀବନରେ ଆସିଲା ଏକ ନୂଆ ମୋଡ଼, ଯେବେ ସେ ଆର୍ଟ ଟିଚର୍‌ ଆଶିଷ ସ୍ବାମୀଙ୍କ ସଂସ୍ପର୍ଶରେ ଆସିଲେ। ଆଶିଷ ଲୋର୍‌ହା ଗାଁରେ ମାଗଣାରେ ଚିତ୍ରକଳା ଶିଖାଇବା ଆରମ୍ଭ କରିଥିଲେ। ଚିତ୍ରକଳା ଶିଖାଇବା ସହ ସେମାନଙ୍କ କଳାକୁ ବିକ୍ରି କରାଇ ରୋଜଗାରକ୍ଷମ କରାଉଥିଲେ। ବାଇଗା ବି ଆଶିଷଙ୍କଠାରୁ ଚିତ୍ରକଳା ଶିଖିବା ଆରମ୍ଭ କଲେ। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ ସୁନ୍ଦର ଚିତ୍ର କରିବା ଆରମ୍ଭ କଲେ। ତାଙ୍କ ପେଣ୍ଟିଂଗୁଡ଼ିକ ବିକ୍ରି ହେଲା। ପରେ ଆଶିଷ ଦେଖିଲେ ବାଇଗାଙ୍କ ଚିତ୍ରଗୁଡିକ ତା’ର ଉଚିତ ମୂଲ୍ୟ ପାଉନାହିଁ। ତେଣୁ ଏହାକୁ ସେ ଭାରତର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଇବା ଆରମ୍ଭ କଲେ। ଏବେ ତାଙ୍କ ପେଣ୍ଟିଂ ବହୁ ମୂଲ୍ୟରେ ବିକ୍ରି ହେଉଛି। ତେବେ ତାଙ୍କୁ ସବୁଠୁ ବଡ଼ ସଫଳତା ସେତେବେଳେ ମିଳିଲା ଯେବେ ତାଙ୍କ ପେଣ୍ଟିଂ ଇଟାଲିର ମିଲନ୍‌ରେ ପ୍ରଦର୍ଶିତ ହେଲା। ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ପେଣ୍ଟିଂ ବିକ୍ରି ବି ହୋଇଯାଇଥିଲା। ଏହାବାଦ୍‌ ତାଙ୍କ ପେଣ୍ଟିଂ ପ୍ୟାରିସ୍‌ରେ ବି ପ୍ରଦର୍ଶିତ ହୋଇଛି। ବାଇଗା କହନ୍ତି, ‘ଜୀବନର ଅଧିକାଂଶ ସମୟ କ୍ଷେତରେ ଓ ଜଙ୍ଗଲରେ ବିତାଇଛି। ପେଣ୍ଟିଂ କରି ମତେ ଖୁସି ଓ ଶାନ୍ତି ମିଳିଥାଏ। ଲାଗେ ସତେ ଯେମିତି ମୁଁ ମୁକ୍ତ ବିହଙ୍ଗ ପାଲଟି ଉଡ଼ି ଉଡ଼ି ଭିନ୍ନ ଏକ ଦୁନିଆକୁ ଚାଲିଯାଉଛି। ଆଉ ଯେବେ ମୋ ପେଣ୍ଟିଂ ଅନ୍ତର୍ଜାତୀୟ ଖ୍ୟାତି ପାଇଲା ତ ବହୁତ ଖୁସି ଲାଗିଲା। ଏହାବାଦ୍‌ ଆଦିବାସୀ କଳା, ସଂସ୍କୃତିକୁ ବିଶ୍ୱ ମାନଚିତ୍ରରେ ପହଞ୍ଚାଇ ପାରିଥିବାରୁ ମତେ ଆତ୍ମସନ୍ତୋଷ ମିଳେ।’

୯୦ରେ ଆରମ୍ଭ କଲେ ‘ଷ୍ଟାର୍ଟଅପ୍‌’: ୪ ବର୍ଷ ତଳର କଥା। ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର, ଝିଅ ରବିନା ସୁରୀଙ୍କ ସହ କଥା ହେଉଥିବାବେଳେ ମନରେ ଥିବା ଏକ କ୍ଷୋଭ ସମ୍ପର୍କରେ କହିଥିଲେ। ସେ କହିଥିଲେ, ‘ମୋ ଜୀବନରେ କିଛି ଅଭାବ ନାହିଁ। ହେଲେ ଏକ ଦୁଃଖ ରହିଛି ଯେ, ମୁଁ କେବେ ଏକ ଟଙ୍କା ବି ରୋଜଗାର କରିନି।’ ଏହି କଥାକୁ ଗୁରୁତ୍ୱର ସହ ନେଇଥିଲେ ଝିଅ ରବିନା। ସେ ଜାଣିଥିଲେ ତାଙ୍କ ମା’ ଚମତ୍କାର ରୋଷେଇ କରନ୍ତି। ସମସ୍ତଙ୍କ ମନଜାଣି ସେ ସୁଆଦିଆ ଖାଦ୍ୟ ରାନ୍ଧିଛନ୍ତି। ହେଲେ କେବେ ଏଥିପାଇଁ ତାଙ୍କୁ ପ୍ରଶଂସା ଟିକେ ବି ମିଳିନି। ତେବେ ତାଙ୍କ ହାତ ତିଆରି ବେସନ ବର୍ଫିର କଥା ଅଲଗା। ସେ ବିଭିନ୍ନ ପ୍ରକାରର ଆଚାର ଓ ମିଠା ତିଆରି କରିବାରେ ବି ପାରଙ୍ଗମ। ତେଣୁ ସେ ଚିନ୍ତା କଲେ ମା’ଙ୍କ ହାତ ତିଆରି ସ୍ବାଦିଷ୍ଟ ବ୍ୟଞ୍ଜନ ଲୋକଙ୍କ ପାଖରେ ପହଞ୍ଚାଇବେ। ହରଭଜନ ବି ରାଜି ହେଲେ। ୯୪ବର୍ଷରେ ଆରମ୍ଭ କଲେ ନୂଆ ଷ୍ଟାର୍ଟ ଅପ୍‌ । ସ୍ଥାନୀୟ ବଜାରରେ ଏକ ଦୋକାନ କରି ରବିନା ମା’ଙ୍କ ହାତ ତିଆରି ବେସନ ବର୍ଫି ବିକ୍ରି କଲେ। ଆଉ ପ୍ରଥମ ଦିନ ମା’ ହରଭଜନ ଗ୍ରାହକଙ୍କ ସହ କଥା ହୋଇ ବେସନ ବର୍ଫି ବିିକ୍ରି କରି ରୋଜଗାର କଲେ ୨୦୦୦ଟଙ୍କା। ତାହା ଥିଲା ତାଙ୍କର ପ୍ରଥମ ରୋଜଗାର। ଏହାପରେ ସେ ବର୍ଫି, ଚଟଣୀ, ବିଭିନ୍ନ ପ୍ରକାରର ଆଚାର ତିଆରି କରି ପ୍ରତି ୧୦ ଦିନରେ ଥରେ ବଜାରକୁ ନେଇ ବିକ୍ରି କଲେ। ଏଥିରେ ତାଙ୍କୁ ପରମ ଆତ୍ମସନ୍ତୋଷ ମିଳିଲା। ପରେ ତାଙ୍କ ପାଖକୁ ଅର୍ଡର ଆସିବାକୁ ଲାଗିଲା। ରବିନା ମା’ଙ୍କ ହାତ ତିଆରି ଖାଦ୍ୟକୁ ଏକ ବ୍ରାଣ୍ଡ କରିବାକୁ ନିଷ୍ପତ୍ତି ନେଲେ। ସେଥିପାଇଁ ଖାଦ୍ୟକୁ ସୁନ୍ଦର ପ୍ୟାକେଜିଂ କରି ସେଥିରେ ଟ୍ୟାଗଲାଇନ୍‌ ଦେଲେ-‘ବଚ୍‌ପନ୍‌ ୟାଦ ଆୟେଗି’। ଏବେ ହରଭଜନ ପ୍ରତିଦିନ ୫-୧୦ କି.ଗ୍ରା. ବେସନ ବର୍ଫି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ବର୍ଫିର ଚହିଦା ବଢ଼ିବାକୁ ଲାଗିଛି। ଆଉ ଏ ବୟସରେ ବି ସେ ଅର୍ଡର ଅନୁସାରେ ବର୍ଫି, ଚଟଣୀ ଆଦି ତିଆରି କରୁଛନ୍ତି। ତେବେ ହରଭଜନଙ୍କ କାହାଣୀ ସେତେବେଳେ ଚର୍ଚ୍ଚାକୁ ଆସିଲା ଯେବେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଟୁଇଟ୍‌ କଲେ, ‘When you hear the word ‘start-up’ it brings to mind images of millennials in Silicon Valley or Bengaluru trying to build billion dollar ‘unicorns.’ From now on let’s also include a 94-yr-old woman who doesn’t think it’s too late to do a start-up.’ ଆନନ୍ଦ ମହିନ୍ଦ୍ରାଙ୍କର ଏହି ଟୁଇଟ୍‌କୁ ସମସ୍ତେ ବହୁତ ପସନ୍ଦ କରିଥିଲେ। ଆଉ ହରଭଜନ ପାଲଟିଗଲେ ଏକ ପ୍ରେରଣାର ଉତ୍ସ। ସେ ପ୍ରମାଣ କରିଦେଲେ ଯେ, ସ୍ବପ୍ନକୁ ସାକାର କରିବା ପାଇଁ ବୟସ କେବେ ବାଧକ ସାଜିପାରେନା।

– ଶିବାନୀ ମହାନ୍ତି
ଶ୍ରୀକାନ୍ତ ପରିଜା, ମୃତ୍ୟୁଞ୍ଜୟ ଶତପଥୀ, ଶରତ କୁମାର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri