ହାତୀ ଛୁଆକୁ ଛାଡ଼ି ପଳାଇଲା ମା’: ମଣିଷ ଗନ୍ଧ ଦୂରେଇବାକୁ ବୋଳାଗଲା ଗୋବର

ଢେଙ୍କାନାଳ ଅଫିସ, ୨୬।୬-ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଜନବସତି ନିକଟରେ ସୋମବାର ଏକ ମାଈ ହାତୀ ତା’ର ଶାବକକୁ ଛାଡ଼ି ପଳାଇଛି। ଉକ୍ତ ହାତୀ ଛୁଆର ଆନୁମାନିକ ବୟସ ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ହାତୀ ଛୁଆ ଜନବସତି ନିକଟରେ ବୁଲୁଥିବା ଦେଖି ଗ୍ରାମବାସୀ ସ୍ଥାନୀୟ ବିଟ୍‌ ହାଉସ୍‌କୁ ସୂଚନା ଦେଇଥିଲେ। ଏହାପରେ ବନ କର୍ମଚାରୀ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ମଣିଷ ଗନ୍ଧ ଦୂର କରିବାକୁ ହାତୀ ଶାବକ ଦେହରେ ଗୋବର ବୋଳି ଦିଆଯାଇଛି। କାରଣ, ହାତୀ ଶାବକଟି ମଣିଷ ସଂସ୍ପର୍ଶରେ ଆସିଥିବା ଜାଣିଲେ ମା’ ତାକୁ ସହଜରେ ଗ୍ରହଣ କରେନାହିଁ। ହାତୀପଲରେ ପୂର୍ବରୁ ଏପରି ଅନେକ ଘଟଣା ଘଟିଥିବା ନଜିର ରହିଛି। ତେଣୁ ଏହି ଆଶଙ୍କା ଦୂର କରିବାକୁ ହାତୀ ଛୁଆ ଦେହରେ ଗୋବର ବୋଳାଯାଇଥିବା ଏସିଏଫ୍‌ ଜିତେନ୍ଦ୍ରନାଥ ଦାସ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ଛୁଆକୁ ଜଙ୍ଗଲରେ ଛଡ଼ା ଯାଇପାରିନାହିଁ। ବୁଧବାର ମା’ ହାତୀ ପାଖକୁ ଛୁଆକୁ ନିଆଯିବ। ଶାବକ ଜୀବନ ପ୍ରତି ବିପଦ ଥିବାରୁ ତାକୁ ବିଟ୍‌ କର୍ମଚାରୀଙ୍କ ହେପାଜତ୍‌ରେ ରଖାଯାଇଥିବା ଏସିଏଫ୍‌ କହିଛନ୍ତି।