ହାତୀ ଉପଦ୍ରବ : ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ସଜନାଗଡ଼,୧୬ା୬(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଲାଡିହା ପାଦଦେଶ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ୨୮ଟି ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲ ଶନିବାର ବିଳମ୍ବିତ ରାତିରେ ସଜନାଗଡ଼ ପଞ୍ଚାୟତର ତେଣ୍ଡା ଗ୍ରାମ ପାଖ ସାତଘାଟି ଏବଂ ମୁଣ୍ଡଘୂରା ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଗ୍ରାମର ରାମଚନ୍ଦ୍ର ସିଂ, ବୁଧୁ ସିଂ,ସୋମବାରୀ ସିଂ, ହାଡ଼ିବନ୍ଧୁ ସିଂ, ଶ୍ୟାମସୁନ୍ଦର ସିଂ, ଦୁର୍ଗା ସିଂଙ୍କ ସମେତ ୯ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଛନ୍ତି। ଏଥିସହିତ ବାଡ଼ିବଗିଚାରେ ପଶି ପଣସ, ସପୁରୀ, କଦଳୀ ଗଛ ମଧ୍ୟ ନଷ୍ଟ କରିଛନ୍ତି। ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେଉଥିବାବେଳେ ଅନ୍ୟପଟେ ହାତୀ ଉପଦ୍ରବରେ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ରବିବାର ପୂର୍ବାହ୍ନରେ ଗ୍ରାମବାସୀ ନୀଳଗିରି ବିଧାୟକଙ୍କୁ ଡାକି ଦେଖାଇବା ସହ ବନବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ବିଧାୟକ କ୍ଷତିଗ୍ରସ୍ତ ପରିବାରଙ୍କୁ କିଛି ସହାୟତା ପ୍ରଦାନ କରିବା ସହ ଜିଲାପାଳଙ୍କ ସହ ଆଲୋଚନା କରି ସରକାରୀ ସହାୟତା ଯୋଗାଇବାରେ ସହଯୋଗ କରିବେ ବୋଲି କହିଥିଲେ।