ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ ଧନଜୀବନ ହାନି ହେଲାଣି। ଏହାର ପ୍ରତିକାର ଏବଂ ଉପଦ୍ରୁତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ୬ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ଚାଷୀ ସୁରକ୍ଷା ମଞ୍ଚ ଗୁରୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି।
ହାତୀ ଆକ୍ରମଣରେ ମୃତ ଏବଂ ଆହତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି, ହାତୀ ଉପଦ୍ରୁତ ଅଞ୍ଚଳରେ ସୋଲାର ବାଡ଼ ନିର୍ମାଣ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ରାସ୍ତାକଡ଼ରୁ ବୁଦୁବୁଦିଆ ଜଙ୍ଗଲ ସଫା, ଘର ଭାଙ୍ଗିଥିବା ପରିବାରକୁ ଆବାସ ଯୋଜନାରେ ସାମିଲ, ଫସଲ ନଷ୍ଟ ଲାଗି ଆର୍ଥିକ ସହାୟତା, ଅନ୍‌ଲାଇନ୍‌ ମାଧ୍ୟମରେ ଦରଖାସ୍ତ ଆବେଦନ ବ୍ୟବସ୍ଥା କରିବା ପ୍ରମୁଖ ଦାବିପତ୍ରରେ ଉଲ୍ଲେଖ ରହିଛି।
ହାତୀ ଉପଦ୍ରବରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାକୁ ଡମୋଳ ଗ୍ରାମର ରଞ୍ଜନ କୁମାର ରାଉତ, ଲୋଧଣି ଗ୍ରାମ ସଭାପତି ଶ୍ରୀନିବାସ ସାହୁ, ପାଳସାହିର ଯୁଧିଷ୍ଠିର ବିଶ୍ୱାଳ, ପୂର୍ବତନ ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ପାଣିଭଣ୍ଡାର ଗ୍ରାମର ପୀତବାସ ପରିଡ଼ା, ବାଉରୀବନ୍ଧୁ ଖିଲାର, ସନ୍ତୋଷ କୁମାର ବିଶ୍ୱାଳ, କାର୍ତ୍ତିକେଶ୍ୱର ପ୍ରଧାନ, ସୁବଳ ରାଉତ, ମାନସ କୁମାର ପରିଡ଼ା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।