ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଦେବଗଡ଼,୧୧।୧୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସୋମବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲୁଲଙ୍ଗ ପଞ୍ଚାୟତର ବଡ଼କୁଦ ବାସିନ୍ଦା ଶନିଆ କୁଦର(୬୫)। ଆଜି ସକାଳେ ସେ ବିଲକୁ ଯାଉଥିବା ସମୟରେ ହାତୀଟି ପଛପଟୁ ଆସି ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ହାତୀଟି ମଧ୍ୟ କଣ୍ଟାବାହାଳ ପଞ୍ଚାୟର ଶୁଣ୍ଢିନାଳୀ ଗ୍ରାମର ୫୮ ବର୍ଷୀୟା ସୀତା ସାହୁଙ୍କୁ ଉଠାଇ କଚାଡ଼ି ଦେଇଥିଲା। ଫଳରେ ସୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।