Categories: ଜାତୀୟ

ହାତରେ ଫାର୍ଶା ଧରି ନିଜ ଦଳର ନେତାଙ୍କୁ ଧମକାଇଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୧।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାଙ୍କ ବେକ ଫାର୍ଶାରେ କାଟିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ହରିୟାଣାରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଜନ ଆଶୀର୍ବାଦ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଥିଲେ। ସମ୍ବୋଧିତ କରୁଥିବା ସମୟରେ ସେ ହାତରେ ଫାର୍ଶା ଧରି ଠିଆ ହେବା ସହ ଏହା ଶତ୍ରୁଙ୍କ ନାଶ କରେ ବୋଲି ସାଧାରଣ ଜନତାଙ୍କୁ କହିଥିଲେ। ସେହି ସମୟରେ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ଭାଜପାର ନେତା ତାଙ୍କୁ ପାରମ୍ପରିକ ଟୋପି ପିନ୍ଧାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ ଆସି ନ ଥିଲା। ତାଙ୍କୁ ଟୋପି ପିନ୍ଧାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଉକ୍ତ ନେତାଙ୍କ ଉପରେ ଉତ୍ତକ୍ତ୍ୟ ହୋଇପଡ଼ି ଫାର୍ଶାରେ ବେକ କାଟିଦେବାକୁ ଧମକ ଦେଇଥିଲେ। ଏହାପରେ ଭାଜପା ନେତା ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ମନୋହର ଲାଲଙ୍କୁ ଭର୍ତ୍ସନା କରିବା ସହ କହିଛନ୍ତି, ରାଗ ଓ ଅହଂକାର ସ୍ବାସ୍ଥ୍ୟପକ୍ଷେ ହାନିକାରକ। ଯଦି ନିଜ ନେତାଙ୍କ ବେକ ଫାର୍ଶାରେ କାଟିଦେବାକୁ କହୁଛନ୍ତି ତେବେ ଜନସାଧାରଣଙ୍କ ସହ କ’ଣ କରିବେ ବୋଲି ସୁରଜଓ୍ବୋଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କ ଉତ୍ତ୍ୟକ୍ତ ରୂପ ଦେଖିବାକୁ ମିଳିଛି।

Share