ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ( ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହା ଅନୁସାରେ ଛିଙ୍କିବା ସମୟରେ ହାତଦେବା ଆବଶ୍ୟକ। ଜଣେ ଛିଙ୍କିବା ସମୟରେ ତାଙ୍କଠାରୁ ୩,୦୦୦ରୁ ଅଧିକ କ୍ଷୁଦ୍ର ଜଳକଣିକା ବାୟୁ ମଣ୍ଡଳରେ ମିଶିଥାଏ। ଏହା ଭାସି ଭାସି ପ୍ରାୟ ୬ ମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରେ। ଯଦି କରୋନା ସଂକ୍ରମିତ ଏଭଳି କରନ୍ତି ତେବେ ତାଙ୍କ ନିକଟରେ ଥିବା ବ୍ୟକ୍ତି ବିଶେଷ ଅବା ଜିନିଷ ପତ୍ରରେ ଛିଙ୍କରେ ବାହାରିଥିବା କ୍ଷୁଦ୍ର ଜଳକଣିକା ଲାଗିରୁହେ। ପରବର୍ତ୍ତୀ ସମୟରେ ଏହାଦ୍ୱାରା ସଂକ୍ରମଣର ଆଶଙ୍କା ରହିଥାଏ। କିନ୍ତୁ ମୁହଁରେ ହାତଦେଇ କିମ୍ବା ରୁମାଲ ରଖି ଛିଙ୍କିଲେ ସଂକ୍ରମଣ ହେବାର ଆଶଙ୍କା ଦୂର ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ପ୍ରକାଶ ପାଇଛି।