ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ଅର୍ଥନୈତିକ ଅବରୋଧ ଆରମ୍ଭ

ବରଗଡ ଅଫିସ, ୨୪।୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମଙ୍ଗଳବାରରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରିଛନ୍ତି। ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟବୃନ୍ଦ ଏକତ୍ରିତ ହୋଇ ସ୍ଥାନୀୟ ଜିଲା କୋଶାଗାର, ଜିଲାପାଳ, ଉପଜିଲାପାଳ ଅଫିସ ସମେତ ରାଜସ୍ବ ଆଦାୟ କରୁଥିବା ବିଭିନ୍ନ ଅଫିସକୁ ବନ୍ଦକରି ଦେଇଛନ୍ତି। ତେବେ ଏଥିରୁ ବ୍ୟାଙ୍କଗୁଡ଼ିକୁ ବାଦ୍‌ ଦିଆଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ଏଭଳି ଅର୍ଥନୈତିକ ଅବରୋଧ ଜାରିରହିବ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରକାଶ ଥାଉକି, ସୋମବାର ଏକ ବିକ୍ଷୋଭ ଶୋଭାଯାତ୍ରାରେ ବରଗଡ ଜିଲାପାଳ ଅଫିସକୁ ଯାଇ ସ୍ଥାନୀୟ ଜିଲା ଓକିଲ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।