ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ୨ ଜଣ ଚିକିତ୍ସିତ ହୋଇ ଫେରିଥିବା ବେଳେ ଅନ୍ୟ ୭ ଜଣ ବିଭିନ୍ନ ବିଭାଗରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଡାଇରିଆ ଓ୍ବାର୍ଡରେ ଅଞ୍ଜଳି ଦେହୁରୀ (୯ମ), ରଶ୍ମୀ ମୁଣ୍ଡା (୭ମ) ଓ ଚନ୍ଦ୍ରିକା ପାତ୍ର (୯ମ) ଚିକିତ୍ସାଧୀନ ରହିଥିବା ବେଳେ ମହିଳା ଓ୍ବାର୍ଡରେ ରଜନୀ ସୋରେନ୍‌ (୬ଷ୍ଠ), ସୁମିତ୍ରା ମାଝୀ (୯ମ), ସ୍ବର୍ଣ୍ଣଲତା ନାଏକ ( ୯ମ) ଓ ଜସମୀ ମାଝୀ (୭ମ)ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।ଚିକିତ୍ସିତ ହୋଇ ସୁସ୍ଥ ହୋଇ ଶାନ୍ତି ଦେହୁରୀ ଓ ଦୁଃଖିନୀ ମୁଣ୍ଡା ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ଜଣେ ଚଳିତ ପରୀକ୍ଷା ଦେଉଥିବା ଜଣାପଡ଼ିଛି। ନିମ୍ନମାନର ବାସି ଖାଦ୍ୟ ଓ ଅସ୍ବାସ୍ଥ୍ୟକର ପରିବେଶ ଏହି ଝାଡ଼ାବାନ୍ତିର ମୁଖ୍ୟ କାରଣ ବୋଲି ଅଭିବାବକମାନେ ଆଶଙ୍କା କରୁଛନ୍ତି। ଏନେଇ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଅଶୋକ କୁମାର ଜେନା କହିଛନ୍ତି, ସୋମବାର ଜଣେ ଛାତ୍ରୀଙ୍କର ଝାଡ଼ା ହୋଇଥିଲା। ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଭଲ ହୋଇ ଫେରିବା ପରେ ଅନ୍ୟ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।