ହଷ୍ଟେଲରୁ ଛାତ୍ରୀ ନିଖୋଜ

ପୁରୀ ଅଫିସ,୧୬।୧୨: ଦତ୍ତତୋଟାସ୍ଥିତ ଏକ ଘରୋଇ ହଷ୍ଟେଲରୁ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁକ୍ତ୨ ଛାତ୍ରୀ ନିଖୋଜ ଥିବା ନେଇ କୁମ୍ଭାରପଡା ଥାନାରେ ରବିବାର ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ଗତ ନଭେମ୍ବର ୨୯ ଅପରାହ୍ନ ପରଠାରୁ ସେ ନିଖୋଜ ଥିବା ନେଇ ବିଳମ୍ବିତ ରାତିରେ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଗତ ୧ ତାରିଖରେ ସଦର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିବାର ଲୋକେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହା ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ରହିଥିବା ସନ୍ଦେହ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।