ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ଉପରୁ କଟକଣା ଆଂଶିକ ଉଠାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧ ଯୋଗାଇଦେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନ ପୂର୍ବରୁ ଭାରତକୁ ଅନୁରୋଧ କରିଥିଲେ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଔଷଧ ପଠାଇବାକୁ ମନା କରନ୍ତି ତେବେ ଏହାର ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେବାର କିଛି ସମୟ ପରେ ଭାରତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ମହାମାରୀର ମୁକାବିଲା ଲାଗି ମାନବିକତା ଦୃଷ୍ଟିକୋଣରୁ ଭାରତ ଉପରେ ନିର୍ଭରଶୀଳ ପଡୋଶୀ ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ପାରାସିଟାମଲ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଯେଉଁ ଦେଶଗୁଡିକ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଗୁଡ଼ିକୁ ମଧ୍ୟ ଜରୁରୀ ଔଷଧ ଯୋଗାଇ ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ବିଶ୍ୱର ଜୀବନରକ୍ଷାକାରୀ ଔଷଧର ଏକ-ଚତୁର୍ଥାଂଶରୁ ଅଧିକ ଭାରତ ଯୋଗାଇଥାଏ। କୋଭିଡ୍‌-୧୯ ମାମଲା ବଢ଼ିବା ପରେ ଅଧିକ ଔଷଧ ମହଜୁଦ ରଖିବା ଲାଗି ଗତମାସରେ ସରକାର ୨୬ଟି ଫାର୍ମାସ୍ୟୁଟିକାଲ ଉପାଦାନ ଓ ସେଥିରୁ ପ୍ରସ୍ତୁତ ଔଷଧ ରପ୍ତାନି ଉପରେ କଟକଣା ଲଗାଇଥିଲେ।
କୋଭିଡ୍‌-୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସମୁଦାୟ ଦୃଢ଼ ଏକତା ଓ ସହଯୋଗ ମନୋଭାବ ପ୍ରଦର୍ଶନ କରିବା ଜରୁରୀ ବୋଲି ଭାରତ ସବୁବେଳେ କହିଆସିଛି। ତେବେ ଘରୋଇ ଆବଶ୍ୟକତା ପୂରଣ ପରେ ଗଚ୍ଛିତ ପରିମାଣକୁ ଦେଖି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ରପ୍ତାନି ପାଇଁ ଅନୁମତି ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହି ଔଷଧ ଲାଇସେନ୍ସ ବର୍ଗରେ ଯାଉଥିବାରୁ ଏହାର ଚାହିଦା ଉପରେ ନିୟମିତ ସମୀକ୍ଷା କରାଯାଇଥାଏ। ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି ପରୀକ୍ଷାରୁ ଜଣାପଡିବା ପରେ ଗତମାସ ୨୫ ତାରିଖରେ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲେ।

Share